କନକ ବ୍ୟୁରୋ: ସରକାର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ମେଡିକାଲ କଲେଜ୍ ଘୋଷଣା କରି ଚାଲିଛନ୍ତି । ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଧିକ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ମେଡିକାଲ କଲେଜ୍ ସ୍ଥାପନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟ, ମେଡିକାଲ କଲେଜର ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତରରେ ଏଭଳି ଚିନ୍ତାଜନକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନୀରଞ୍ଜନ ପୂଜାରୀ । ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ସରକାରୀ ମେଡିକାଲ କଲେଜରେ ୨୯୦ଟି ପ୍ରଫେସର ପଦବୀ ରହିଛି, ସେଥିରୁ ୭୪ଟି ଖାଲି ପଡିଛି । ସେହିପରି ଆସୋସିଏଟ୍ ପ୍ରଫେସର ପାଇଁ ୪୬୩ଟି ପଦବୀ ଥିବାବେଳେ ୧୭୧ଟି ଖାଲି ପଡିଛି । ସହକାରୀ ପ୍ରଫେସର ପାଇଁ ୯୦୩ଟି ପଦବୀ ଥିବାବେଳେ ୧୧୦ଟି ପଦବୀ ଖାଲି ରହିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟରେ ମେଡିକାଲ ଶିକ୍ଷାର ଅଧୋଗତି ହୋଇଛି ବୋଲି କହିଛନ୍ତି ବିଜେପି ବିଧାୟକ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନୂଆ ମେଡିକାଲ କଲେଜ ନୁହେଁ, ଭିମସାର, ବୁର୍ଲା ମେଡିକାଲ କଲେଜରେ ସବୁଠାରୁ ଅଧିକ ସଂଖ୍ୟକ ଡାକ୍ତରୀ ଶିକ୍ଷକ ପଦ ଖାଲି ରହିଛି । ଏଠାରେ ପ୍ରଫେସର ପାଇଁ ୪୧ଟି ପଦବୀ ଥିବାବେଳେ, ୧୪ଟି ଖାଲି ପଡିଛି । ଆସୋସିଏଟ ପ୍ରଫେସର ପାଇଁ ୭୬ ପଦବିରୁ ୨୭ ଓ ସହକାରୀ ପ୍ରଫେସର ପାଇଁ ୧୪୯ ପଦବିରୁ ୩୦ ଖାଲି ପଡିଛି । ତେବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟରେ ଧାର୍ଯ୍ୟ ପଦବିଠାରୁ ଅଧିକ ଡାକ୍ତରୀ ଶିକ୍ଷକ ରହିଛନ୍ତି । ଏଠାରେ, ଆସୋସିଏଟ ପ୍ରଫେସର ପାଇଁ ୮ପଦବି ଥିବାବେଳେ ୧୦ ଜଣ ଓ ସହକାରୀ ପ୍ରଫେସର ପାଇଁ ୧୧ ପଦବି ପାଇଁ ୧୬ ଜଣ ଡାକ୍ତରୀ ଶିକ୍ଷକ ରହିଛନ୍ତି ।
ଗୋଟିଏ ପରେ ଗୋଟିଏ ଜିଲ୍ଳାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଯେଉଁ ଡାକ୍ତର ଶିକ୍ଷକମାନଙ୍କର ମୂଳ ଆବଶ୍ୟକତା ରହିଛି, ତାହା ପୂରଣ ନହେବା ଓ ଖାଲି ପଡିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।