କନକ ବ୍ୟୁରୋ : ଭିଜିଲାନ୍ସ ଚଢାଉରୁ କୋଟିପତି ବାବୁଙ୍କ ତାଲିକା ଲମ୍ବୁଛି । ଆଉ ତା’ସହ ତାଳ ଦେଇ ବଢୁଛି ଜବତ ହେଉଥିବା ନଗଦ ଅର୍ଥର ପରିମାଣ । ବାରିପଦା ଆଇଟିଡିଏ ଅଧିକାରୀଙ୍କ ଘରେ ଚଢାଉ ବେଳେ ମିଳିଛି ୪୧ ଲକ୍ଷ ନଗଦ ଟଙ୍କା । ଯାହା ଭିଜିଲାନ୍ସ ଇତିହାସରେ ସର୍ବାଧିକ । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ସଂପତିର ହିସାବ ତାଟକା କରି ଦେଉଛି । ଲାଗୁଛି, ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ବାବୁଙ୍କ ବିଳାସରେ ଖର୍ଚ୍ଚ ହେଉଥିଲା ।
କଥାରେ ଅଛି ଅଧର୍ମ ବିତ୍ତ ଫଳେ ବହୁତ, ଗଲାବେଳେ ଯାଏ ମୂଳ ସହିତ । ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ କ୍ଷେତ୍ରରେ ଏହି କଥାଟିର ସାମଞ୍ଜସ୍ୟ ରହିଛି । କାରଣ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ନିକଟରେ ଭିଜିଲାନ୍ସ କରିଥିବା ଚଢାଉରେ ସନ୍ତୋଷ ଦାସଙ୍କ ଘରୁ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ଘରୁ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ ହୋଇଥିବାବେଳେ, ସଂପୂର୍ଣ୍ଣ ସଂପତି ତାଲିକା ଆସିବା ଆହୁରି ବାକିଅଛି ।
ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ଗହଣା, ଫ୍ଲାଟ ଓ କୋଠାକୁ ବେଆଇନ ଉପାୟରେ ହାତେଇଛନ୍ତି ଏହି ଇଂଜିନିୟର । ଶୁକ୍ରବାର ଦ୍ୱିତୀୟ ଦିନରେ ତାଙ୍କର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର ଘରେ ଚଢାଉ କରିଛି ଭିଜିଲାନ୍ସ । ରେଡ ବେଳେ ୬୫୯ ଗ୍ରାମ ସୁନା, ରୁପାର ୨୦୦୦ ଟଙ୍କିଆ ସାଙ୍ଗକୁ କୋଟି କୋଟି ଟଙ୍କାର ପ୍ଲଟ ଓ ଫ୍ଲାଟ ଠାବ ହୋଇଥିବା ଭିଜିଲାନ୍ସ କହିଛି ।
ଘରେ ନଗଦ ଟଙ୍କା ରଖିବାରେ ନମ୍ବର -୧
- ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରୁ ମିଳିଛି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା
- ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରୁ ଜବତ ହୋଇଥିଲା ନଗଦ ୩୮ ଲକ୍ଷ ୧୨ ହଜାର ୯୦୦ ଟଙ୍କା
- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ଘରୁ ମିଳିଥିଲା ନଗଦ ୧୬ ଲକ୍ଷ ୫୦ ହଜାର ୧୩ ଟଙ୍କା
- ଈବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଅଶୁତୋଷ ମିଶ୍ରଙ୍କ ଘରୁ ମିଳିଥିଲା ୧୫ ଲକ୍ଷ ୬୦ ହଜାର ୧୪୦ ଟଙ୍କା
- ବାଲୁଗୁଡା ଆଟିଡିଏର କିରାଣୀ ବସନ୍ତ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ମିଳିଥିଲା ନଗଦ ୧୩ ଲକ୍ଷ ୨୫ ହଜାର ଟଙ୍କା
ଆଇଟିଡିଏର ସହକାରୀ ଯନ୍ତ୍ରୀ ଭାବରେ ବାରିପଦାରେ କାମ କରୁଥିଲେ ସନ୍ତୋଷ କୁମାର ଦାସ । ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ କିଭଳି ଆତ୍ମସାତ କରି ନିଜସ୍ୱ ବ୍ୟାଙ୍କ ବାଲାନ୍ସ ବଢାଉଥିଲେ ସରକାରୀ ବାବୁ ଏହା ତାର ଏକ ଉଦାହରଣ । ଭିଜିଲାନ୍ସରେ ଏକାଧିକ ଅଭିଯୋଗ ପରେ ଏହି କୁବେର ବାବୁଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଯୋଜନା ବନାଇଥିଲା ଯାଞ୍ଚକାରୀ ସଂସ୍ଥା । ସ୍ୱତନ୍ତ୍ର ଟିମ ଗଠନ କରି ଏକକାଳୀନ ଆରମ୍ଭ ହୋଇଥିଲା ଚଢାଉ । ଆଉ ଭିଜିଲାନ୍ସ ଚଢାଉ ପରେ ଯାହା ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।