ଭାରତକୁ ଝଟକା ଦେଲା ଆମେରିକା । ମେ’ ୨ରୁ ଇରାନ ଠାରୁ ତୈଳ ଆମଦାନୀ ବନ୍ଦ ନ କଲେ ଆମେରିକା ଲଗାଇବ କଟକଣା

387

ଇରାନ ଠାରୁ ତେଲ ଆମଦାନୀ କରିବା ଏବେ ଭାରତ ପାଇଁ ମହଙ୍ଗା ପଡିପାରେ । କାରଣ ଇରାନ ଠାରୁ ତେଲ ଆମଦାନୀ କରୁଥିବା ପ୍ରତ୍ୟେକ ଦେଶ ଉପରେ ଏବେ ଆମେରିକା ପକ୍ଷରୁ କଟକଣା ଲାଗିବା ନେଇ ଆଶଙ୍କା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଠାରୁ କଞ୍ଚା ତେଲ କିଣୁଥିବା ଦେଶ ଗୁଡିକୁ କୌଣସି ରିହାତି ନ ଦେବାକୁ ନିଷ୍ପତି ନେଇଛି । ଆମେରିକାର ଏହି ନିଷ୍ପତିର ପ୍ରଭାବ ସବୁଠୁ ଅଧିକ ଭାରତ ଓ ଚୀନ ଉପରେ ପଡିବାକୁ ଯାଉଛି । କାରଣ ମେ ୨ ପରଠାରୁ ଇରାନ ଠାରୁ ତେଲ ଆମଦାନୀ କରୁଥିବା ଦେଶ ଗୁଡିକ ଉପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ଆମେରିକା ।

ଆମେରିକା ବୈଦଶିକ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମେ ୨ ସୁଦ୍ଧା ଯେଉଁ ଦେଶ ଇରାନ ତୈଳ ଆମଦାନୀ କରିବା ବନ୍ଦ ନ କରିବ ତାଙ୍କୁ ଆମେରିକାର କଟକଣା ସହିବାକୁ ପଡିବ । ଗତବର୍ଷ ନଭେମ୍ବରରେ ଆମେରିକା ଇରାନ ଠାରୁ ତୈଳ ଆମଦାନୀ କରୁଥିବା ୮ ଦେଶକୁ ବିକଳ୍ପ ବ୍ୟବସ୍ଥା କରିବାକୁ ୧୮୦ ଦିନ ସମୟ ଦେଇଥିଲା । ଯେଉଁ ତାଲିକାରେ ଭାରତ ମଧ୍ୟ ସାମିଲ ଥିଲା । ଆମେରିକାର ଡେଡଲାଇନ ଶେଷ ହେବା ପୂର୍ବରୁ ୟୁନାନ, ଇଟାଲୀ ଓ ତାଇୱାନ ତୈଳ ଆମଦାନୀ ବନ୍ଦ ଏକପ୍ରକାର ବନ୍ଦ କରି ସାରିଛନ୍ତି । କିନ୍ତୁ ଭାରତ, ଚୀନ, ତୁର୍କୀ, ଜାପାନ ଓ ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ ଇରାନ ଠାରୁ ତୈଳ ଆମଦାନୀ କରିବା ବନ୍ଦ କରି ନାହାନ୍ତି । ତେଣୁ ଡେଡଲାଇନ ସରିବା ପୂର୍ବରୁ ଯଦି ତୈଳ ଆମଦାନୀ ଭାରତ ବନ୍ଦ ନ କରେ ତେବେ ଆମେରିକାର କଟକଣାର ସମ୍ମୁଖୀନ ହେବାକୁ ପଡିବ ।

ଆମେରିକା ଘୋଷଣାର ପ୍ରଭାବ ଭାରତ ଓ ଚୀନ ଉପରେ ସବୁଠୁ ଅଧିକ ପଡିବାକୁ ଯାଉଛି । କାରଣ ଏହି ଦୁଇ ଦେଶ ଇରାନ ଠାରୁ ସର୍ବାଧିକ ତୈଳ ଆମଦାନୀ କରିଥାନ୍ତି । ଗୋଟିଏ ତୈଳ ଆମଦାନୀ ବନ୍ଦ ନ କଲେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସର୍ମ୍ପକରେ ଭଟ୍ଟା ପଡିପାରେ । ଅନ୍ୟପଟେ ଇରାନ ଠାରୁ ତୈଳ ଆମଦାନୀ ବନ୍ଦ କଲେ ତୈଳ ଦର ହୁ ହୁ ହୋଇ ବଢିଯିବ । ତେଣୁ କେଉଁ ଉପାୟରେ ଏହି ସମସ୍ୟାର ସମାଧାନ କରାଯାଇପାରିବ ତାହାକୁ ନେଇ ଭାରତ ପକ୍ଷରୁ ଚେଷ୍ଟା ଜାରି ରହିଛି ।