ସମୟ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ଲଢ଼ିପାରନ୍ତି ନିର୍ବାଚନ

215

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଥିଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ରିୟାଙ୍କ ବିରୋଧରେ ବୟାନ ଦେବା ସହ ମୁମ୍ବାଇ ପୁଲିସ କିଭଳି ତଦନ୍ତ ଠିକ୍ ଭାବରେ କରୁନାହିଁ ବୋଲି କହି ଚର୍ଚ୍ଚିତ ହୋଇଥିଲେ ଡିଜିପି। କିଛି ଦିନ ପରେ ଏବେ ସେ ପୁଣି ଚର୍ଚ୍ଚାରେ। ସମୟ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିହାରରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଗତକାଲି ବିହାର ଡିଜିପି ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ଏଭଳି ପରିସ୍ଥିତିରେ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ସେ ଏନଡିଏ ପ୍ରାର୍ଥୀ ଭାବରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ସେ କହିଛନ୍ତି ଯେ, ମୁଁ କେତେବେଳେ କହିଲି କି ମୁଁ ନିର୍ବାଚନ ଲଢ଼ିବି। ନିର୍ବାଚନ ଲଢ଼ିବା ପାଇଁ ମୋର କୌଣସି ଯୋଜନା ନାହିଁ। କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁ ମାମଲା ପାଇଁ ମୁଁ ସ୍ବେଚ୍ଛାକୃତ ଅବସର ନେଉଥିବା କଥା ଚର୍ଚ୍ଚା କରୁଛନ୍ତି। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ମୋର ସ୍ବେଚ୍ଛାକୃତ ଅବସରର କୌଣସି ସଂପର୍କ ନାହିଁ।

ତେବେ ଏହା ପ୍ରଥମ ନୁହେଁ ଗୁପ୍ତେଶ୍ୱର ପାଣ୍ଡେ ୧୧ବର୍ଷ ପୂର୍ବେ ନିର୍ବାଚନ ମଞ୍ଚରେ ପ୍ରବେଶ କରିବା ପାଇଁ ସ୍ବେଚ୍ଛାକୃତ ଅବସର ନେଇଥିଲେ, କିନ୍ତୁ ବିଜେପିରୁ ଟିକେଟ ନ ପାଇବା ପରେ ସେ ପୁଣି ଥରେ ପୁଲିସ ୟୁନିଫର୍ମ ପିନ୍ଧିଥିଲେ ବୋଲି ଜଣା ପଡ଼ିଛି।