କନକବ୍ୟୁରୋ:ସରକାର ମ୍ୟାଲେରିଆ ମୁକ୍ତ ଅଂଚଳ ଘୋଷଣା କରିଛନ୍ତି । ଲୋକେ ସହଜ ଜୀବନଯାପନ କରୁଛନ୍ତିା ହେଲେ ସରକାରଙ୍କ ସେହି ଘୋଷଣାକୁ ଭୁଲ୍ ପ୍ରମାଣିତ କରିଛି ବର୍ତମାନ ସ୍ଥିତି । ନବବଧୂଙ୍କ ମୃତ୍ୟୁ,ଡାକ୍ତରଖାନାରେ ଏକାଧିକ ରୋଗୀ ଭର୍ତି ହେବା, ମ୍ୟାଲେରିଆ ମୁକ୍ତ ଅଂଚଳ ଘୋଷଣାକୁ ଭୂଲ ପ୍ରମାଣିତ କରିଛି । କୋରାପୁଟ ବୈପାରିଗୁଡା ବ୍ଲକର କାଲିଆ-ଅଟାଲ ଗାଁରେ ମ୍ୟାଲେରିଆ ଆତଙ୍କ ସୃଷ୍ଟି କରିଛି। ପିଲାଠୁ ବୟସ୍କ ବ୍ୟକ୍ତି, ପ୍ରାୟ ସମସ୍ତେ ଜ୍ୱର ଯନ୍ତ୍ରଣା ଭୋଗୁଛନ୍ତି । ବ୍ଲକ ସଦର ମହକୁମା ଠାରୁ ୪୦ କିଲୋମିଟର ଦୂରରେ ଦୁର୍ଗମ ଅଞ୍ଚଳରେ ପ୍ରତି ପରିବାରରେ ଜ୍ଵର ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।
ସବୁଠୁ ବଡ଼ ଦୁଃଖଦ ଘଟଣା ଘଟିଛି ମାତ୍ର ୫ ମାସ ତଳେ ବାହା ହୋଇଥିବା ନବବଧୂ କମଳା ଜାନୀଙ୍କ ଅକାଳ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ଜ୍ୱରରେ ପୀଡିତ ହୋଇ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ କମଳାଙ୍କ ମୃତ୍ୟୁ ହୋଇଛି । ସେପଟେ ତାଙ୍କ ସ୍ୱାମୀ ଓ ଦିଅର ମଧ୍ୟ ଜ୍ୱରରେ ପୀଡିତ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । କାଲିଆ-ଅଟାଲ ଗାଁରେ ଘରେ ଘରେ ଜ୍ୱର ରୋଗୀ ଥିବା ଖବର ଡ଼ାକ୍ତରୀ ଟିମ୍ ଗାଁରେ ପହଞ୍ଚିଥିଲେ । ଜ୍ୱରରେ ପୀଡିତ ଲୋକଙ୍କ ରକ୍ତ ପରୀକ୍ଷା କରିଛନ୍ତି। ୧୫ ଜଣ ମଧ୍ୟରୁ ୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀ ଆଦୌ ଗାଁକୁ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଦିବାସୀ ବହୁଳ ଗ୍ରାମର ଲୋକେ ନିରକ୍ଷର ହୋଇଥିବା ବେଳେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହି ମ୍ୟାଲେରିଆ ଭୋଗୁଛନ୍ତି। କେବଳ ସରକାରୀ ଘୋଷଣାରେ ନୁହେଁ, ଲୋକଙ୍କୁ ସଚେତନ କରାଇଲେ ମ୍ୟାଲେରିଆରୁ ଗ୍ରାମବାସୀଙ୍କୁ ରକ୍ଷା କରାଯାଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
Follow Us