କନକ ବ୍ୟୁରୋ : ପ୍ରଭାବଶୂନ୍ୟ ରହିଲା ଭାରତ ବନ୍ଦ ଡାକରା । ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ ବିଭିନ୍ନ ଟ୍ରେଡ ୟୁନିୟନ । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନଥିଲେ । ଫଳରେ ରାଜଧାନୀ ଭୁବନେଶ୍ୱରର ଜୟଦେବବିହାର ଛକରେ ବାଧ୍ୟହୋଇ ପଛକୁ ଫେରିଆସିଥିଲା ଆମ୍ବୁଲାନ୍ସ । ସେପଟେ ବନ୍ଦ ସତ୍ୱେ ଗାଡ଼ି ଗମନାଗମନ ପ୍ରାୟତଃ ସ୍ୱାଭାବିକ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲାଥିବା ଦେଖିବାକୁ ମିଳିଛି । ବନ୍ଦ ଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଭାରତ ବନ୍ଦ ଯୋଗୁ ଆଜି ବନ୍ଦ ହୋଇଥିଲା କୋଣାର୍କ ସୂର୍ଯ୍ୟମନ୍ଦିର । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସଂଗଠନଗୁଡିକ ବିଶେଷ ଏହି ବନ୍ଦ ପାଳନ କରୁଛନ୍ତି । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ହେଲେ ଭାରନ୍ଦ ବନ୍ଦରେ ସାମିଲ ହୋଇନାହିଁ ଉକ୍ରଳ ପେଟ୍ରୋଲିୟମ ସଂଘ । ବନ୍ଦରେ ସାମିଲ୍ ନହୋଇଥିଲେ ବି କିଛି କିଛି ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରହିଥିବା ବେଳେ କିଛି ଖୋଲା ରହିଥିଲା । ଆସନ୍ତାକାଲି ଦ୍ୱିତୀୟ ଦିନରେ ମଧ୍ୟ ୧୨ ଘଂଟିଆ ବନ୍ଦ ଜାରି ରହିବ ।