ଆରବ ସାଗରରେ ବାତ୍ୟା । ପାଣିପାଗ ବିଭାଗର ସୂଚନା, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ ।

1,195

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ରୂପରେଖ ଦିନକୁ ଦିନ ସ୍ପଷ୍ଟ ହେଉଥିବାବେଳେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରିଦିଆଯ଼ାଇଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି )ର ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ ଦିନ ଦକ୍ଷିଣ-ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୫ ତାରିଖ ବେଳକୁ ଏହା ଲାକ୍ଷାଦ୍ବୀପ ତଥା ଦକ୍ଷିଣ-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୧୬ ତାରିଖ ବେଳକୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ବାତ୍ୟା ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ଏହି ବାତ୍ୟାର ପ୍ରଭାବରେ ଲାକ୍ଷାଦ୍ବୀପ, କେରଳ, ତାମିଲନାଡ଼ୁର କେତେକ ଅଞ୍ଚଳରେ ମେ ୧୪ରୁ ୧୬ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନ ଯ଼ିବାକୁ କୁହାଯ଼ାଇଛି ।