କନକ ବ୍ୟୁରୋ : ଯେତେବେଳେ ଗରିବିର କୁଠାରଘାତ ଏବଂ ଭାଗ୍ୟ ନିଜ ଉପରେ ଦାଉ ସାଧେ ସେତେବେଳେ ବା ମଣିଷଟିଏ କରିବ କଣ । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ଅଧାବାଟରେ ହାତଛାଡି ଚାଲିଯିବା ପରେ ଦୁଇ ଝିଅଙ୍କୁ ବହୁ କଷ୍ଟରେ ବିବାହ କରାଇଥିଲେ । ବିବାହ ପରେ ଦୁଇ ଝିଅ ମାନସିକ ବିକାରଗ୍ରସ୍ତ ସାଜି ଏବେ ଠିକଣା ହରାଇଛନ୍ତି । ଆଉ ବେସାହାରା ବୁଢାଟି ଏବେ ଜୀବନ ବଞ୍ଚାଇବା ପାଇଁ ବାରଦୁଆର ସୁଣ୍ଡିପିଣ୍ଡା ହେଉଥିବା ବେଳେ ମିଳୁନି ସରକାରୀ ସହାୟତା ।

ଘର କହିଲେ ଭଙ୍ଗା ଦଦରା ବାଉଁଶର କାନ୍ଥ ଏବଂ ମୁଣ୍ଡ ଉପରେ ଛିଣ୍ଡା ଜରିପାଲ । ତାହା ପୁଣି ନିଜ ଜାଗାରେ ନୁହେଁ ଗାଁ ହାଟରେ । ଏହି ଚାଳିଆରେ ପ୍ରାୟ ୧୦ ବର୍ଷ ହେଲାଣି ଏକୁଟିଆ ଜୀବନ ବିତାଉଛନ୍ତି ଜଣେ ୬୫ ବର୍ଷୀୟ ବୃଦ୍ଧ ଗୌରା ସିଂ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଜୁଗୁନିଖୁଂଟା ହାଟ ପଡିଆରେ ରହିଛି ବୃଦ୍ଧଙ୍କ ଭଙ୍ଗା ଦଦରା ଘର । ୧୦ ବର୍ଷରୁ ଅଧିକ ହେବ ପତ୍ନି ଆରପାରିକୁ ଚାଲିଯାଇଥିବା ବେଳେ ଦୁଇ ଝିଅ ବିବାହ କରିବା ପରେ ମାନସିକ ବିକାରଗ୍ରସ୍ତ ହୋଇଯାଇଛନ୍ତି । ଏବେ ସେମାନେ କେଉଁଠି ରହୁଛନ୍ତି କ’ଣ କରୁଛନ୍ତି, ତାଙ୍କର କିଛି ଖୋଜ ଖବର ନାହିଁ । ସବୁଠୁ ଦୁଖଃର କଥା ହେଉଛି ଆଜକୁ ପ୍ରାୟ ୧୦ ବର୍ଷରୁ ଅଧିକ ହେବ ଅସହାୟ ବୃଦ୍ଧ ଜଣକ ଏଠାରେ ଜୀବନ ବିତାଉଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ସହାୟତା ।

କରୋନା ମହାମାରୀ ଯୋଗୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ୫ କିଲୋ ଚାଉଳକୁ ଛାଡିଲେ ତାଙ୍କୁ ଆଉ କୌଣସି ସରକାରୀ ସହାୟତା ମିଳିନାହିଁ । ୬୫ ବର୍ଷ ହୋଇଥିଲେ ମଧ୍ୟ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ବାର୍ଦ୍ଧକ୍ୟ ଭତା ପାଉନାହାନ୍ତି ବୃଦ୍ଧ । ଏନେଇ ବୃଦ୍ଧଜଣଙ୍କ ପଂଚାୟତସ୍ତରରେ ସବୁ ନେତା, ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି । ଫଳରେ ସାପ୍ତାହିକ ହାଟରେ ଦୋକାନରେ କାମ କରି ନଚେତ୍ ମାଗିଯାଚି ପେଟ ପୋଷୁଛନ୍ତି ଗୌରା ସିଂ । ବୃଦ୍ଧଙ୍କ ଏଭଳି ଦୁଃଖ ଦେଖି ପଡୋସୀ ତାଙ୍କୁ ଘର ଖଣ୍ଡେ ସହ ଭତା ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଗରିବଙ୍କ ସେବା କରୁଛୁ ବୋଲି କହି ରାଜନୈତିକ ଦଳମାନେ ଭୋଟ ନେଉଥିଲେ ମଧ୍ୟ ବାସ୍ତବରେ ଗରୀବ ଲୋକଟି ସରକାରୀ ସହାୟତାରୁ ବଂଚିତ ହେଉଥିବାର ଖବର ସବୁବେଳେ ନଜରରେ ଆସୁଛି ।