ଗାଡି ପୂଜା ପାଇଁ ହେଲମେଟ୍ ଲୋଡ଼ା: ମା’ ଶାରଳା ମନ୍ଦିରରେ ଲାଗିଲା ସଡକ ସୁରକ୍ଷା ସାଇନ୍ ବୋର୍ଡ… ହେଲମେଟ୍ ନ ଥିଲେ ଗାଡି ପୂଜା ବନ୍ଦ

ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ

406

କନକ ବ୍ୟୁରୋ: ହେଲମେଟ୍ ନ ଥିଲେ ଗାଡି ପୂଜା ବନ୍ଦ । ଶାରଳା ମନ୍ଦିରରେ ଲାଗିଲା ସଡକ ସୁରକ୍ଷା ବୋର୍ଡ । ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନର ସହମତିରେ ଏଭଳି ବୋର୍ଡ ଲଗାଯାଇଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ ନାହିଁ । ମନ୍ଦିର ସମ୍ମୁଖରେ ଏକ ସଡକ ସୁରକ୍ଷା ସଂକ୍ରାନ୍ତ ସାଇନ ବୋର୍ଡ ଲଗାଯାଇଛି । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିରରେ ପୂଜା ପାଇଁ ପ୍ରତିଦିନ ଶତାଧିକ ଗାଡି ୨ ଚକିଆଠାରୁ ଆରମ୍ଭ କରି ୪ ଚକିଆ ଗାଡି ଆସିଥାଏ । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଡକ ସୁରକ୍ଷା ସଂକ୍ରାନ୍ତ ସାଇନ ବୋର୍ଡ ମନ୍ଦିର ସମ୍ମୁଖରେ ଲଗାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଛି ବିନା ହେଲମେଟରେ ଏଠାରେ ବାଇକ ପୂଜା କରାଯିବ ନାହିଁ । ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ତେଲ ଟାଙ୍କି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ବୋର୍ଡ ଲଗାଯାଇଛି ।

ଏବେ ମନ୍ଦିରରେ ଲାଗିଥିବା ଏହି ବୋର୍ଡକୁ ନେଇ ଗାଡି ଅଳକ ଓ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି । ପ୍ରଥମଥର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି ଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଏହାକୁ ସହମତି ଜଣାଇଛି ମନ୍ଦିର ପ୍ରଶାସନ । ଏହି ନିୟମକୁ ସବୁ ଦିନ ପାଇଁ ପାଳନ କରାଗଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ମତ ପ୍ରକାଶ ପାଉଛି ।