କନକ ବ୍ୟୁରୋ: ସାରା ରାଜ୍ୟରେ ଟ୍ରାଫିକ୍ କଟକଣାକୁ ନେଇ ଧରପଗଡ ଆରମ୍ଭ ହୋଇଯାଇଥିବା ବେଳେ ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ଲାଗୁ କରାଯାଇଛି ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ । ଏଥିପାଇଁ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଆଉ ନିର୍ଦ୍ଦେଶ ଦିଆଯାଇଛି କି, କେବଳ ହେଲମେଟ୍ ପିନ୍ଧିଥିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବାକୁ । ଅନ୍ୟପଟେ ପେଟ୍ରୋଲ ପମ୍ପରେ ଏଭଳି ଚାଳକଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖିବାକୁ ବି କୁହାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଗାଡ଼ି ନମ୍ବର ଟ୍ରାକ୍ କରି ଇ-ଚାଲାଣ କାଟିବାକୁ ନିଷ୍ପତ୍ତି ନେଇଛି ଯୋଗାଣ ବିଭାଗ ।

Advertisment

publive-image

ଚିଠିରେ ଉଲ୍ଲେଖ ରହିଛି କି, ଦୁଇଚକିଆ ଗାଡ଼ିରେ ପେଟ୍ରୋଲ୍ ଭରିବା ସମୟରେ ଚାଳକ ଜଣକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ପେଟ୍ରୋଲ୍ ପମ୍ପ ମାଲିକମାନେ ନଜର ରଖିବେ। ଯଦି କୌଣସି ଚାଳକ ହେଲମେଟ୍ ପିନ୍ଧି ନାହାନ୍ତି, ତେବେ ତାଙ୍କୁ କୌଣସି ପରିସ୍ଥିତିରେ ବି ପେଟ୍ରୋଲ୍ ଦିଆଯିବ ନାହିଁ। ଆଉ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲ୍ ପମ୍ପ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପେଟ୍ରୋଲ୍ ପମ୍ପ ମାଲିକ ସେମାନଙ୍କ ପେଟ୍ରୋଲ୍ ପମ୍ପରେ ସିସିଟିଭି ଲାଗିଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ କରିବେ। ସିସିଟିଭି ଲାଗି ନଥିଲେ ତୁରନ୍ତ ସିସିଟିଭି ଲଗାଇ ଚାଳକଙ୍କ ଉପରେ ନଜର ରଖିବେ। ଏହାର ଫୁଟେଜ୍ ଦୈନିକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ।

publive-image

ତେବେ ସୁରକ୍ଷିତ ଗାଡ଼ି ଚାଳନା ଦିଗରେ ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ । ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହାକୁ ଚାଳକମାନେ ମାନିବାକୁ ନାରାଜ। ଏଥିପାଇଁ ଲୋକେ କିଭଳି ହେଲମେଟ୍ ପିନ୍ଧି ନିଜକୁ ସୁରକ୍ଷିତ ରଖିପାରିବେ, ସେ ଦିଗରେ ସୂଚନା ଫଳକ ଲଗାଯିବ। ପ୍ରତ୍ୟେକ ପେଟ୍ରୋଲ୍ ପମ୍ପରେ ବଡ଼ ବଡ଼ ହୋର୍ଡିଂ ଦୃଶ୍ୟମାନ ହେବା ଭଳି ସ୍ଥାନରେ ଲଗାଯିବ। କେଉଁମାନେ ହେଲ୍ମେଟ୍ ପିନ୍ଧି ଆସୁଛନ୍ତି ଓ କେଉଁମାନେ ପିନ୍ଧୁ ନାହାନ୍ତି, ସିସିଟିଭିରେ ନଜର ରଖାଯିବ। ତେବେ ପ୍ରାଥମିକ ପର୍ୟ୍ୟାୟରେ ଲୋକଙ୍କୁ ସଚେତନ କରାଯିବ। ପରେ ସିସିଟିଭି ଫୁଟେଜ୍ରୁ ନମ୍ବର ଟ୍ରାକ୍ କରି ଇ-ଚାଲାଣ କଟାଯିବ। ଘର ଠିକଣାରେ ଓ ମୋବାଇଲ୍ ନମ୍ବରରେ ଏହି ଇ-ଚାଲାଣ ପହଞ୍ଚିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।