ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି ! ଏଟିଏମରେ ଟଙ୍କା ଉଠାଣ ଓ ଚେକ ବହି ପ୍ରଦାନରେ ଲାଗିବନି ଜିଏସଟି

59

ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଚେକ୍ ବହି ପ୍ରଦାନ ଏବଂ ଏଟିଏମରୁ ଟଙ୍କା ଉଠାଣ ଭଳି କେତେକ ମାଗଣା ବ୍ୟାଙ୍କିଙ୍ଗ୍ ସେବା ଉପରେ ଜିଏସଟି ଲାଗୁ ହେବାର ସମ୍ଭାବନା ନାହିଁ। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମାଗଣା ସେବା ଉପରେ ଜିଏସଟି ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ରାଜସ୍ୱ ବିଭାଗର ମତାମତ ଲୋଡ଼ିଛି। ତେବେ ମାଗଣାରେ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍ ସେବା ଉପରେ ଜିଏସଟି ଲାଗୁ କରାଯିବ ନାହିଁ ବୋଲି ଆର୍ଥିକ ସେବା ବ୍ୟାପାର ବିଭାଗକୁ ରାଜସ୍ୱ ବିଭାଗ ନିକଟ ଭବିଷ୍ୟତରେ କହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମାଗଣା ବ୍ୟାଙ୍କିଙ୍ଗ୍ ସେବା ଉପରେ ଟିକସ ପଇଠ କରାଯାଉ ନଥିବାରୁ ଏ ନେଇ ବ୍ୟାଙ୍କ ଗୁଡ଼ିକୁ ଟିକସ ପଇଠ ଲାଗି ଟିକସ ବିଭାଗ ପକ୍ଷରୁ ନୋଟିସ୍ ପହଞ୍ଚୁଛି। ତେଣୁ ଏ ପ୍ରକାର ସେବା ଉପରେ ଜିଏସଟି ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ କରିବା ନିମନ୍ତେ ଆର୍ଥିକ ସେବା ବ୍ୟାପାର ବିଭାଗ ପକ୍ଷରୁ ରାଜସ୍ୱ ବିଭାଗର ମତାମତ ଲୋଡ଼ାଯାଇଥିଲା। ତେବେ ଆର୍ଥିକ ସେବା ବ୍ୟାପାର ବିଭାଗର ମତ ହେଲା ଚେକ୍ ବହି ପ୍ରଦାନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପର୍ୟ୍ୟନ୍ତ ଏଟିଏମ୍ରୁ ଟଙ୍କା ଉଠାଣକୁ ଟିକସମୁକ୍ତ ରଖାଯାଇଛି। ଏଗୁଡ଼ିକ ବାଣିଜ୍ୟିକ କାର୍ୟ୍ୟ ହୋଇ ନଥିବାରୁ ଏହାକୁ ଜିଏସଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଏହି ବିଭାଗ ଦାବି କରିଛି।

କିନ୍ତୁ ଟିକସ ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ୨୦୧୨ରୁ ୨୦୧୭ ମସିହା ପାଇଁ ସର୍ଭିସ ଟ୍ୟାକ୍ସ ନୋଟିସ୍ ପ୍ରଦାନ କରାଯାଇଛି। ଟିକସ ଅଧିକାରୀଙ୍କ ମତ ହେଲା ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ କୌଣସି ମାଗଣା ସେବା ପ୍ରଦାନ କରୁନାହାନ୍ତି। ସେମାନଙ୍କଠାରୁ ସର୍ବନିମ୍ନ ବାଲାନ୍ସ ରଖିବାକୁ କହି ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ତେବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ଭିନ୍ନ ଭିନ୍ନ ସୀମା ଧାର୍ୟ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗତବର୍ଷ ଜୁଲାଇ ପହିଲାରୁ ଜିଏସଟି କାର୍ୟ୍ୟକାରୀ କରାଯାଇଛି। ଜିଏସଟି ଲାଗୁ ହେବା ଫଳରେ ଏହି ଟିକସରେ କେନ୍ଦ୍ରୀୟ ଉତ୍ପାଦ ସମେତ ସେବା ଟିକସ ଆଦିକୁ ମିଶାଇ ଦିଆଯାଇଛି।