ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଲା, ଟଙ୍କା ମିଳିଲାନି । ଆଶଙ୍କାରେ ଚିଟଫଣ୍ଡ ଜମାକାରୀ?

303

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା କମିଶନ ବନ୍ଦ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଲୋକଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର । ବିଜେପିର ଅଭିଯୋଗ, ନିର୍ବାଚନ ପାର ପାଇଁ ସରକାର ଗଠନ କରିଥିଲେ କର୍ପସ ଫଣ୍ଡ । ଏଭଳି ପରିସ୍ଥିତିରେ ଜମାକାରୀ ଆଶଙ୍କାରେ ଥିବା ବେଳେ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।

ଯେଉଁ ଚିଟଫଣ୍ଡ ତଦନ୍ତ କମିଶନକୁ ନେଇ ଟଙ୍କା ଫେରିପାଇବା ପାଇଁ ଜମାକାରୀ ଆଶା ବାନ୍ଧିଥିଲେ, ଆଜି ସେହି କାର୍ଯ୍ୟାଳୟରେ ଲାଗିଥିଲା ବିଜ୍ଞପ୍ତି । ଜଷ୍ଟିସ ମଦନ ମୋହନ ଦାସ କମିଶନ ଆଉ ବସିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । କମିଶନଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଥିବା ବେଳେ ଏହାକୁ ଆଉ ବୃଦ୍ଧି କରାଯାଇନାହିଁ । ଏଭଳି ସ୍ଥିତିରେ ବିଚାର ବିଭାଗୀୟ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ତଦନ୍ତ କମିଶନ ବନ୍ଦ ହେବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ସରକାର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି ବୋଲି କଂଗ୍ରେସ ସମାଲୋଚନା କରିଥିବା ବେଳେ ବିଜେପି କହିଛି, ଏହା ଥିଲା ସରକାରଙ୍କ ରାଜନୈତିକ ଚାଲ । ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜୁଲାଇ ୯ , ୨୦୧୩ରେ ଜଣିକିଆ କମିଶନ ଗଠନ କରାଯାଇଥିଲା । ଗତବର୍ଷ ଅଗଷ୍ଟରେ କମିଶନଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇଥିଲେ ସରକାର । ଏହା ଆଜି ସରିଥିଲେ ବି ଏହାକୁ ଆଉ ବଢାଯାଇନାହିଁ । ସରକାର କାର୍ଯ୍ୟକାଳ ବୃଦ୍ଧି ନ କରିବାରୁ ମାର୍ଚ ୩ ତାରିଖରୁ ସିଟିଂ ନ କରିବା ଲାଗି ନୋଟିସ ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ ଜମାକାରୀ ଆଶଙ୍କାରେ ଥିବା ବେଳେ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।