ଚାନ୍ଦା ଆଦାୟ କଲେ ବାନ୍ଧିନେବେ ପୁଲିସ ବାବୁ । ପାର୍ବଣରେ ଭାଇଗିରି ଉପରେ ଲାଗିବ ରୋକ୍ ।

105

କନକ ବ୍ୟୁରୋ : ପାର୍ବଣ ବେଳେ ଚାନ୍ଦା ମାଗିଲେ ବନ୍ଧା ହେବେ । ଚାନ୍ଦା ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି କମିଶନରେଟ ପୁଲିସ । ଯଦି କେହି ଚାନ୍ଦା ମାଗୁଛନ୍ତି ତା’ହେଲେ ଥାନା ଅଧିକାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର । ଏବେ ପ୍ରଶ୍ନ ଉଠୁଛି, ପୁଲିସ ତ ତାଗିଦ୍ କରିସାରିଛି ହେଲେ ଯଦି ଚାନ୍ଦାକୁ ନେଇ ଦୌରାତ୍ମ୍ୟ ବଢେ, ତେବେ ଦାୟୀ କିଏ ରହିବ ?

ପାର୍ବଣରେ ଭୁବନେଶ୍ୱରରେ ଭାଇଗିରି ଉପରେ ରୋକ୍ । ଦୁର୍ଗା ପୂଜାରେ ଆଦାୟ ହୋଇପାରିବନି ଚାନ୍ଦା । କରୋନା ମହାମାରୀ ବେଳେ ଆୟୋଜିତ ହେଉଛି ଦୁର୍ଗା ପୂଜା । ଜାକଜମକରେ ନହେଲେ ବି ପରମ୍ପରା ବଜାୟ ରଖିବାକୁ ସବୁଠି ଚାଲିଛି ପୂଜା ପ୍ରସ୍ତୁତି । କିନ୍ତୁ ପୂଜା ଆଳରେ କେହି ଆଦାୟ କରିପାରିବେନି ଚାନ୍ଦା । ଯଦି କେହି ଚାନ୍ଦା ମାଗୁଛନ୍ତି ତାହେଲେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ସିଧାସଳଖ ପୁଲିସକୁ ଖବର ଦେଇପାରିବେ । ତାଙ୍କ ନାଁ ଗୋପନ ରଖାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁଲିସ କମିଶନର ।

ଚାନ୍ଦା ଆଦାୟ କଲେ ବାନ୍ଧିନେବ ପୁଲିସ ବାବୁ । କମିଶନରେଟ ପୁଲିସର ଶୂନ୍ୟ ସହନଶୀଳ ଆଭିମୁଖ୍ୟ । ଦୁର୍ଗାପୂଜାରେ ହେଉଥିବା ସୁଉଚ୍ଚ ତୋରଣ ଏବଂ ବ୍ୟାପକ ଆୟୋଜନ ପଛରେ ଦାଦା ବଟି ଏକ କଳାଦିଗ ହୋଇ ରହୁଥିଲା । ଏପରିକି ବାରମ୍ବାର ତାଗିଦ୍ ସତ୍ୱେ କିଛି ନିର୍ଦ୍ଦିଷ୍ଟ ପୂଜା କମିଟି ବିରୋଧରେ ଅଭିଯୋଗ ଆସୁଥିଲା । ଏବେ କରୋନା ସମୟରେ ଆୟୋଜନ ସିନା କମ୍ ହେଉଛି ହେଲେ ବଟି ଆଦାୟ କିନ୍ତୁ କମିନଥିବା ଜଣାପଡିଛି ।

କରୋନା ମହାମାରୀ ଭିତରେ ଆୟୋଜିତ ହେଉଛି ଦୂର୍ଗା ପୂଜା । ଦେଢ ବର୍ଷ ହେବ କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ବିଭିନ୍ନ ସମୟରେ ଲକଡାଉନ ଏବଂ କର୍ଫ୍ୟୁ ପାଇଁ ଅନେକ ବ୍ୟବସାୟୀ ଏବଂ ଲୋକଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ରହିଛି । ଏହାରି ଭିତରେ ଲୋକଙ୍କୁ ଚାନ୍ଦା ମାଗିବାକୁ ଅତି ଗୁରୁତର ଭାବେ ଗ୍ରହଣ କରିଛି କମିଶନରେଟ ପୁଲିସ । ହେଲେ, ଚାନ୍ଦା ଦେଉଥିବା ଲୋକ ଡରରେ ଯଦି ଅଭିଯୋଗ ନକରେ କିମ୍ବା ଚାନ୍ଦା ନେଇ ଅଭିଯୋଗ କଲେ ଯଦି ତାଉପରେ ଦୌରାତ୍ମ୍ୟ ବଢେ, ତେବେ ଏହାର ଉତ୍ତରଦାୟିତ୍ୱ କିଏ ନେବ ?