ଟଳିବାକୁ ଯାଉଛି କରୋନା ସଂକଟ ! ଖୁବଶୀଘ୍ର କରୋନା ମହାମାରୀ କବଳରୁ ମୁକ୍ତି ପାଇବେ ବିଶ୍ୱବାସୀ, ଆଶ୍ୱାସନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

2,292

କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ବାର୍ତ୍ତା ବିଶ୍ୱବାସୀଙ୍କ ମନରେ ଆଶା ସଂଚାର କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସସ୍ କହିଛନ୍ତି ଯେ ବିଶ୍ୱ ଉପରେ କରୋନା ଭଳି ଯେଉଁ ମହାମାରୀ ମାଡି ପଡିଥିଲା ତାହା କବଳରୁ ଏବେ ବିଶ୍ୱବାସୀ ମୁକ୍ତ ହେବାକୁ ଯାଉଛନ୍ତି । ସେ କହିଛନ୍ତି କି କେତକ କରୋନା ଟିକାର ସଫଳ ପରୀକ୍ଷଣ ହୋଇଛି । ଯାହାଦ୍ୱାରା ବିଶ୍ୱବାସୀଙ୍କୁ ଏହିଟିକା ପ୍ରଦାନ କରିବା ପରେ ବିଶ୍ୱ କରୋନା ମୁକ୍ତ ହେବ । ହେଲେ ଟିକା ବିତରଣ କ୍ଷେତ୍ରରେ ଧନୀ ଓ ଗରିବ ଦେଶ ମାନଙ୍କ ଭିତରେ କିଛି ପାତର ଅନ୍ତର ନକରାଯିବାକୁ ସେ ଅନୁରୋଧ କରିଛନ୍ତି । ଟିକାକୁ ସମାନ ଭାବରେ ବିତରଣ କରାଗଲେ ହିଁ ବିଶ୍ୱ କରୋନାରୁ ମୁକ୍ତି ପାଇବ ବୋଲି ସେ କହିଛନ୍ତି । କରୋନା ହଟିବା ପରେ ଦାରିଦ୍ର୍ୟତା, ଭୋକ, ଅସମାନତା ଓ ଜଳବୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି ।

ସୂଚନା ଥାଉକି ବିଶ୍ୱରେ ୮ ଟି ସଂସ୍ଥା ଏବେ କରୋନା ଟିକା ବିକାଶରେ କାମ କରୁଛନ୍ତି । ତାହା ମଧ୍ୟରୁ କିଛି ସଂସ୍ଥା ସେମାନଙ୍କ ଟିକାର ତୃତୀୟ ବା ଶେଷ ପର୍ଯ୍ୟାୟ ପରୀକ୍ଷଣ ସାରି ତା’ର ପ୍ରଭାବ ଉପରେ ମତ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଫାଇଜର ଟିକାକୁ ବ୍ରିଟେନ ଓ ବାହାରିନ ଭଳି ରାଷ୍ଟ୍ର ମାନେ ଅନୁମତି ଦେଇସାରିଛନ୍ତି । ଏହି ଦୁଇ ଦେଶରେ ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଭାରତରେ ପ୍ରସ୍ତୁତ ହେଉଥିବା ୩ ଟି କରୋନା ଟିକା ବାବଦରେ ପ୍ରଧାନମନ୍ତ୍ରୀ ଗତ କିଛିଦିନ ତଳେ ସମୀକ୍ଷା କରି ଖୁବ୍ ଶୀଘ୍ର ଦେଶବାସୀଙ୍କୁ ଟିକା ପ୍ରଦାନ କରିବାକୁ ଭରଶା ଦେଇଛନ୍ତି । ଗତକାଲି (ଶୁକ୍ରବାର) ଏନେଇ ପ୍ରଧାନମନ୍ତ୍ରୀ ବି ଏକ ସର୍ବଦଳୀୟ ବୈଠକ ଡାକି ଟିକା ବିତରଣ ଉପରେ ସମସ୍ତ ଦଳ ମାନଙ୍କର ମତ ନେଇଛନ୍ତି ।