ବାହାର ଲୋକଙ୍କୁ ପୁରୀ ମନା: ୩୧ଯାଏଁ ପୁରୀ ପ୍ରବେଶ ଉପରେ କଟକଣା; ଅତ୍ୟାବଶ୍ୟକ କାମ ପାଇଁ ବାଧ୍ୟତାମୂଳକ ପରିଚୟ ପତ୍ର

ଜିଲ୍ଲାର ପ୍ରବେଶ ପଥ ଉପରେ ରହିବ କଡ଼ା ନଜର

336

କନକ ବ୍ୟୁରୋ: କରୋନା ସଂକ୍ରମଣ ଯୋଗୁଁ ଜିଲ୍ଳା ବାହାରୁ ଆସୁଥିବା ଲୋକଙ୍କ ପାଇଁ ପୁରୀ ମନା । ବାହାର ଜିଲ୍ଲାର ଲୋକମାନେ ଚଳିତ ମାସ ୩୧ ତାରିଖ ଯାଏଁ ପୁରୀରେ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଜିଲ୍ଳା ପ୍ରଶାସନ କଟକଣା ଲଗାଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି- ଆଜିଠାରୁ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ଜିଲ୍ଳା ମଧ୍ୟରେ ପ୍ରବେଶ ଉପରେ କଟକଣା ଜାରି ରହିଛି । ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟନଥିଲେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

ଜିଲ୍ଲା ମଧ୍ୟକୁ ପ୍ରବେଶ ପଥ ନିକଟରେ ଯାଂଚ ପାଇଁ ମଧ୍ୟ ଟିମ୍ ଗଠନ କରାଯାଇଛି । ଯେଉଁମାନେ ଅତ୍ୟାବଶ୍ୟକୀୟ କିମ୍ବା ଜରୁରୀକାଳୀନ କାମ ପାଇଁ ପୁରୀ ଜିଲ୍ଳାକୁ ଆସୁଛନ୍ତି ସେମାନେ ସାଥୀରେ ବାଧ୍ୟତାମୂଳକ ଭାବେ ପରିଚୟପତ୍ର ରଖନ୍ତୁ । ଏଥି ସହିତ ଜିଲ୍ଲାପାଳ କହଛନ୍ତି- ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ, ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କ ଉପରେ ପ୍ରଶାସନର ନଜର ରହିବ । ପ୍ରବେଶ ପଥ ଗୁଡ଼ିକରେ ନାକାବନ୍ଦୀ କରି ଯାଂଚ୍ କଡ଼ାକଡ଼ି କରାଯିବ ।

ଏପଟେ, ଭୁବନେଶ୍ୱର ମହାନଗର ନିଗମରେ କୈାଣସି ସଭା, ସମାବେଶ, ଧାରଣା ହୋଇପାରିବ ନାହିଁ ବୋଲି ପୁଣି ସ୍ପଷ୍ଟ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଯଦି କୌଣସି ସ୍ଥାନରେ ସମାବେଶ, ଧାରଣା କିମ୍ବା ଆନ୍ଦୋଳନର ଆୟୋଜନ କରାଯାଏ ତେବେ ସ୍ଥାନୀୟ ଆଇଆଇସି ଏସବୁକୁ ଅଟକାଇବା ସହ ଆଇନଗତ ପଦକ୍ଷେପ ଗ୍ରହଣ କରିପାରିବେ । ବିଏମସି ପକ୍ଷରୁ ବିଧିବଦ୍ଧ ଅଭିଯୋଗ ନହେଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।