ଗାଁକୁ ନାହିଁ ବିଜୁଳି …ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ପିଲା : ୭ମାସ ହେଲା ବିଜୁଳି ନଥିବାରୁ ଅନଲାଇନ ପାଠପଢା ଠପ୍ ; ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କନ୍ଧଗୁଡା ଗାଁର ଚିତ୍ର  

187

କନକ ବ୍ୟୁରୋ : ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା । କୋଣ ଲେଉଟା ଏଠି ଅନଲାଇନ୍ ପାଠପଢା । ସ୍ମାର୍ଟ ଫୋନ୍ ଅଛି କିନ୍ତୁ ମୋବାଇଲ ଚାର୍ଜ କରିବାକୁ ଗାଁରେ ୭ ମାସ ହେଲା ବିଦ୍ୟୁତ ନାହିଁ । ଉପାନ୍ତ ଗାଁ ଗଣ୍ଡାର ଅନଲାଇନ୍ ପାଠପଢାର ଚିତ୍ର ତ ଆପଣ ଦେଖିଥିବେ ନିଶ୍ଟିନ୍ତ ହେଲେ ଆଜି ଦେଖନ୍ତୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସଦର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା କନ୍ଧଗୁଡା ଗାଁ ର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢା ର ନଗ୍ନ ଚିତ୍ର । ଗତ କିଛି ମାସ ତଳେ ସରକାର ଅନଲାଇନ୍ ରେ ପାଠ ପଢିବାକୁ ନେଇ ନିର୍ଦ୍ଧେଶମାନା ଜାରି କରିଥିଲେ ।

ପିଲାଙ୍କ ପାଠପଢା ଲାଗି କରଜ କରି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ ଅଭିଭାବକ । କିନ୍ତୁ ସବୁ ଆଶା ଓ ଆକାଂକ୍ଷା ଏଠାରେ ଫସର ଫାଟିଯାଇଛି । ଅନଲାଇନ୍ ରେ ପାଠ ପଢିବେ ବା କେମିତି ଗାଁରେ ବା ବିଦ୍ୟୁତ ନାହିଁ । ଗତ ୭ ମାସ ହେବ ଗାଁରେ ବସାଯାଇଥିବା ଟ୍ରନ୍ସଫର୍ମର ପୋଡି ଯାଇଥିବାବେଳେ ଆଜି ଯାଏଁ ମରାମତି କରିବାରେ ନାଁ ଧରୁନି ପ୍ରଶାସନ ।