କନକ ବ୍ୟୁରୋ: ମୁହଁ ସଞ୍ଜ ହୋଇଗଲେ ଗାଁକୁ ବାହୁଡି ଆସୁଛନ୍ତି ଲୋକେ । ଅନ୍ଧାର ହୋଇଗଲେ ଗାଁ ଭିତରେ ଘରକୁ ଯିବେ କେମିତି? ଏଥିପାଇଁ ଭୟ ଘାରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷ ହେଲା ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି । ଗାଁରେ ଟ୍ରାନ୍ସଫର୍ମର ବସାଯାଇଛି । ବିଦ୍ୟୁତ ଖୁଂଟ ବି ପୋତାଯାଇଛି । ଆଉ ତାର ବି ସଂଯୋଗ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଗାଁରେ ଆଲୁଅର ଦେଖା ଦର୍ଶନ ବି ନାହିଁ । ଲୋକେ ଅନ୍ଧାର ଭିତରେ ଘର କରିନେଇଛନ୍ତି । ଆଉ ଡିବିରି ଆଲୁଅ ପାଲଟିଛି ଭରସା ।
ନୀଳଗିରି କେସିପୁର ପଞ୍ଚାୟତର ୪ଟି ଗାଁର ପ୍ରାୟ ୫୦ରୁ ଅଧିକ ପରିବାର ବିଦ୍ୟୁତ ସଂଯୋଗ ନଥିବାରୁ ସମ୍ପୁର୍ଣ୍ଣ ଅନ୍ଧାରରେ ରହିଛନ୍ତି । ସବୁଠୁ ବଡ କଥା ହେଲା ପାଠ ପଢୁଥିବା ପିଲାମାନେ ବହୁ ଅସୁବିଧା ଭୋଗୁଛନ୍ତି । କିଛି ଘରେ ଡିବିରି ଆଲୁଅ ଆଶ୍ରା ପାଲଟିଥିବା ବେଳେ କିଛି ଘର ଅନ୍ଧାରରେ ବୁଡିଯାଇଛି ।
ବିଦ୍ୟୁତ ଅଭାବରୁ ଗାଁର ଲୋକେ ସମସ୍ୟା ଭିତରେ ଜୀବନ ଜିଉଁଛନ୍ତି । ବିଦ୍ୟୁତ ଟ୍ରାନ୍ସଫର୍ମର ଓ ବିଦ୍ୟୁତ ଖୁଣ୍ଟି ସବୁ ଅକାମୀ ହୋଇ ପଡିରହିଛି । ଖାଲି ସେତିକି ନୁହେଁ ବିଦ୍ୟୁତ ତାର ସବୁ ଛିଣ୍ଡି ଗଲାଣି ତ ଆଉ କେଉଁଠି ତାରରେ ମାଡିଗଲାଣି ଲତା । ଅନେକ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ରୁଜି ଗଲାଣି । ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଥିଲେ ବି ଏହାର କୌଣସି ପ୍ରକାର ସମାଧାନ ହୋଇପାରିନି । ବିଦ୍ୟୁତ ବିଭାଗର ଟାଳଟୁଳ ନୀତି ଯୋଗୁ ଅସୁବିଧା ଭୋଗୁଛନ୍ତି ଗରିବ ଆଦିବାସୀ । । ତେବେ ଗାଁରେ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।