କନକ ବ୍ୟୁରୋ : କୋରାପୁଟ କୋଲାବ ଜଳଭଣ୍ଡାର ତଳେ ଥିବା ଗାଁରେ ମିଳୁନି ବିଶୁଦ୍ଧ ପିଇବା ପାଣି । ଗାଁରେ ଥିବା ଏକମାତ୍ର ନଳକୂପରୁ ବାହାରୁ ଥିବା ପାଣି ପର୍ଯ୍ୟାପ୍ତ ହେଉନାହିଁ, କି ପାଇପ ପାଣି ଆସୁନାହିଁ । ତେଣୁ ରାତି ପାହିଲେ ପାଣି ପାଇଁ ଜଳଭଣ୍ଡାରକୁ ଧାଉଁଛନ୍ତି ଗାଁର ମହିଳା । ସେଇଠି ଗାଧୁଆ ପାଧୁଆ କରିବା ସହ ରୋଷେଇ ବାସ ପାଇଁ ପାଣି ଆଣୁଛନ୍ତି ।

Advertisment

କୋଲାବ ଜଳଭଣ୍ଡାର ପାଖରେ ରହିଛି ପୁକି ଓ ନୂଆପୁକି ଗାଁ । ପ୍ରାୟ ୪ଶହ ଲୋକ ବାସ କରୁଥିବା ଗାଁର ଜଳ ସମସ୍ୟା ଦୂର କରିବା ପାଇଁ ୨୦୨୧ରେ ଜଳ ଜୀବନ ମିଶନରେ ୩୯ ଲକ୍ଷ ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । କୂଅ ଖୋଳା ଯାଇ ମଟର ଲଗାଇ, ଗାଁକୁ ପାଇପ ବିଛାଇ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କରାଯାଇଛି । ୨୦୨୩ ଫେବୃଆରୀ ପ୍ରକଳ୍ପ କାର୍ଯ୍ୟକ୍ଷମ କରି କିଛି ସପ୍ତାହ ପାଇଁ ଗାଁକୁ ପାଣି ଆସିବା ପରେ ପୁଣି ବନ୍ଦ ହୋଇଯାଇଛି । ବିଭାଗୟୀ ଅଧିକାରୀ ଓ ଠିକାଦାର ମନମୁଖୀ କାମ ଯୋଗୁଁ ପ୍ରକଳ୍ପ ଫେଲ ମାରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଜଗବନ୍ଧୁ ଚୌଧୁରୀ କହିଛନ୍ତି, ଉପରୁ ନିର୍ଦେଶ ଅଛି, ଏବିଷୟରେ ପ୍ରତିକ୍ରିୟା ଦେଇ ପାରିବେ ନାହିଁ । ସେପଟେ କୋରାପୁଟ ଉପଜ଼ିଲ୍ଲାପାଳ କହିଛନ୍ତି ବିଭାଗୀୟ ଅଧିକାରୀ ଓ କୋରାପୁଟ ବିଡ଼ିଓ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହାକୁ ଘୋର ନିନ୍ଦା କରିଛନ୍ତି ।

ଦୀପ ତଳ ଅନ୍ଧାର ଭଳି କୋଲାବ ଜଳଭଣ୍ଡାର ତଳେ ଥିବା ଶୋଷିଲା ଗାଁର ଦୁଃଖ ଆମ ଜଳ ଯୋଗାଣ ବିଭାଗର ଅବ୍ୟବସ୍ଥାକୁ ପଦାରେ ପକାଇଛି ।