କୋମାରେ ପଡିଛି ଡାକ୍ତରଖାନା । ୯ ବର୍ଷ ଧରି ଡାକ୍ତରଙ୍କ ହେଉନି ନିଯୁକ୍ତି, ଜଣେ ଫାର୍ମାସିଷ୍ଟରେ ଚାଲିଛି ରୋଗୀସେବା, ସବୁ ବିଭାଗରେ ପଡିଛି ତାଲା ।

366

କନକ ବ୍ୟୁରୋ : ୯ ବର୍ଷ ହେଲା ନାହାନ୍ତି ଡାକ୍ତର । ସବୁ ବିଭାଗରେ ଝୁଲୁଛି ତାଲା । ଲୋକଙ୍କୁ ଭରସା ଜଣେ ଫାର୍ମାସିଷ୍ଟ । ଏ ହେଉଛି ରେଙ୍ଗାଳି ଡ୍ୟାମ୍ ପ୍ରକଳ୍ପ ଚିକିତ୍ସାଳୟର ବାସ୍ତବତା । ପ୍ରାୟ ୯ ବର୍ଷ ଧରି ଏହି ଡାକ୍ତରଖାନା ଜଣେ ମାତ୍ର ଫାର୍ମାସିଷ୍ଟରେ ଚାଲୁଛି । ରୋଗୀ ସେବା ପାଇଁ ଅଛନ୍ତି ଜଣେ ମାତ୍ର ନର୍ସ । ବାକି ସମସ୍ତ ପଦବୀ ଗତ ୯ ବର୍ଷ ଧରି ଖାଲି ପଡିଛି । ଫଳରେ ଚିକିତ୍ସା ସେବାରୁ ବଂଚିତ ହୋଇ ହଟହଟା ହେଉଛନ୍ତି ପାଲଲହଡା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକର ୧୦ଟି ଗାଁ ଓ ଦେବଗଡ ଜିଲ୍ଲାର ୬ଟି ପଂଚାୟତର ପ୍ରାୟ ୨୦ ହଜାର ଲୋକେ । ଡାକ୍ତରଖାନାର ଅବ୍ୟବସ୍ଥା କାରଣରୁ ସାମାନ୍ୟ ରୋଗ ପାଇଁ ଲୋକଙ୍କୁ ଅନୁଗୁଳ, ଦେବଗଡ ନତେଚ୍ କଣିହାଁ ଯିବାକୁ ପଡୁଛି ।

୧୯୭୩ ମସିହାରେ ରେଙ୍ଗାଳି ଡ୍ୟାମର ଶିଳାନ୍ୟାସ ସମୟରେ ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ୩ ଜଣ ଡାକ୍ତରଙ୍କ ସମେତ ମୋଟ୍ ୨୮ ଜଣଙ୍କୁ ନିଯୁକ୍ତି ଦେଇ ଜଳସଂପଦ ବିଭାଗ ଦରମା ବି ଦେଉଥିଲା । ଡ୍ୟାମ୍ ନିର୍ମାଣ ଶେଷ ହେବା ପରେ ପରେ ଆରମ୍ଭ ହେଲା ଅବ୍ୟବସ୍ଥା । ଡାକ୍ତରଖାନା ସ୍ୱାସ୍ଥ୍ୟବିଭାଗ ଅଧୀନରେ ନଥିବାରୁ ଦୀର୍ଘ ୯ ବର୍ଷ ଧରି ଏଠାରେ ଖାଲି ପଡିଛି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପଦବୀ । ଜଳସଂପଦ ବିଭାଗ ଏହି ଡାକ୍ତରଖାନାକୁ ସରକାର ଗ୍ରହଣ କରିବାକୁ ଚିଠି ଲେଖି ବସିଯାଇଛି । ଆଉ ଫାଇଲ ତଳେ ରହିଯାଇଛି ସବୁ ନିଷ୍ପତି ।

ଦାୟିତ୍ୱ ନେବାକୁ ସ୍ୱାସ୍ଥ୍ୟ ବିଭାଗର ପଛଘୁଞ୍ଚା । ଫାଇଲ ପଠାଇ ଚୁପ୍ ବସିଯାଇଛି ଜଳସଂପଦ ବିଭାଗ । ଆଉ ଏହାରି ଭିତରେ ପ୍ରାୟ ୨୦ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ବର୍ଷ ବର୍ଷ ଧରି ସୃଷ୍ଟି ହୋଇ ଆସୁଛି ସମସ୍ୟା । ସରକାର ଏଥିପ୍ରତି ନଜର ଦେଇ ଡାକ୍ତର ନିଯୁକ୍ତି ଦେବାକୁ ଦାବି ହୋଇଛି ।