ଦୁର୍ଗାପୂଜା ଭସାଣିରେ ଶୁଭିବନି ଡିଜେ ସାଉଣ୍ଡ । ୪ ଚୁଙ୍ଗା ଓ ୪ ବକ୍ସରେ ଭସାଣି କରିବାକୁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ ।

903

କନକ ବ୍ୟୁରୋ : ଦୁର୍ଗାପୂଜାରେ ଡିଜେ ବନ୍ଦ । ଚଳିତଥର ଡିଜେ ସାଉଣ୍ଡରେ ଆଉ ଦୁଲୁକିବନି ଦୁର୍ଗାପୂଜା ଭସାଣି । ଦୁର୍ଗାପୂଜାରେ ଡିଜେ ବନ୍ଦ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ଯେପରି ଡିଜେ ନ ବାଜେ ତାହା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ପୂର୍ବରୁ ଡିଜେ ସାଉଣ୍ଡକୁ ନେଇ ରାଜଧାନୀବାସୀ ଅନେକଥର ଅଭିଯୋଗ କରିଥିବା ବେଳେ ଚଳିତଥର ଏହାକୁ ଗୁରୁତର ସହ ଗ୍ରହଣ କରିଛି ପୋଲିସ । ସମସ୍ତ ପୂଜା ମଣ୍ଡପ ସହ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଡିଜେ ବଦଳରେ କେବଳ ୪ଟି ଚୁଙ୍ଗା ଓ ୪ଟି ବକ୍ସରେ ଭସାଣି ଶେଷ କରିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି । କାରଣ ପୂର୍ବରୁ ଦୁର୍ଗା ଭସାଣିରେ ଡିଜେ ସାଉଣ୍ଡକୁ ନେଇ ପୂଜା ମଣ୍ଡପ ଗୁଡିକ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା । ତେଣୁ ଭସାଣି ବେଳେ ପୂଜା କମିଟି ଗୁଡିକ ଆଇନକୁ ଭାଙ୍ଗି ମନଇଚ୍ଛା ସାଉଣ୍ଡ ବଢାଉଥିଲେ । ତେଣୁ ଏଥିରେ ରୋକ ଲଗାଇବାକୁ ଏଭଳି ନିଷ୍ପତି ନିଆଯାଇଛି ।

ଏହାଛଡା ମେଲୋଡି କାର୍ଯ୍ୟକ୍ରମରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେଥିପାଇଁ ସମସ୍ତ ପୂଜା କମିଟି ଗୁଡିକୁ କୁହାଯାଇଛି । ଏପରିକି କୌଣସି ଅଘଟଣ ଏଡାଇବା ପାଇଁ ବଡ ବଡ ପୂଜା ମଣ୍ଡପ ଗୁଡିକରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ପ୍ରତି ପୂଜା ମଣ୍ଡପକୁ କିଛି ଯୁବକଙ୍କ ତାଲିକା ଦେବାକୁ କୁହାଯାଇଛି । ଯେଉଁମାନଙ୍କୁ ପୋଲିସ ପ୍ରଶିକ୍ଷଣ ଦେବା ସହ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ କରିବ । ଚଳିତ ଦୁର୍ଗାପୂଜାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।