କନକ ବ୍ୟୁରୋ : ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି । ଅଧିକ ମାତ୍ରାରେ ଡିଜେ ସାଉଣ୍ଡ ଓ ବିପଦ ଜନକ ବାଣ ରାସ୍ତା ଉପରେ ଫୁଟାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ ।

Advertisment

ଭୁବନେଶ୍ୱରରେ ହେଉଥିବା ବିବାହ ଶୋଭାଯାତ୍ରାରେ ଡିଜେ ବାଜିଲେ କିମ୍ବା ବାଣ ଫୁଟିଲେ ଏଣିକି କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ଏହାସହ ରାତି ୧୦ଟା ପରେ ନାଇଟ କର୍ଫ୍ୟୁ ଲାଗୁଥିବା କାରଣରୁ ବିବାହ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ତେଣୁ ରାତି ୧୦ଟା ପରେ କୌଣସି ବିବାହ ଶୋଭାଯାତ୍ରା ହେଉଥିଲେ ୦୬୭୪୨୫୪୦୨୯୪ ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଯଦି କେହି ନିୟମର ଉଲ୍ଲଂଘନ କରିଥାଏ ତେବେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଏହାସହ ଭୁବନେଶ୍ୱର ଡିସିପି କହିଛନ୍ତି, ସାଧାରଣତଃ ବିବାହ ଶୋଭାଯାତ୍ରା ପାଇଁ ପ୍ରଥମେ ଡିସିପି ଅଫିସରୁ ଅନୁମତି ନେବାକୁ ପଡିଥାଏ । ଆଉ ଏହି ଅନୁମତିପତ୍ର ନେବାକୁ ୩୦ଟି ସର୍ତ୍ତ ରଖାଯାଇଥାଏ । ସମସ୍ତ ସର୍ତ୍ତ ମାନି ବିବାହ ଶୋଭାଯାତ୍ରା କରିବାକୁ ବଣ୍ଡ ପେପରରେ ଦସ୍ତଖତ କରିଥାନ୍ତି ଆବେଦନକାରୀ । ଖାସକରି ଡିଜେ ନ ବଜାଇବା ଓ ବାଣ ନ ଫୁଟାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଏହି ଦୁଇଟି ସର୍ତ୍ତର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ବିବାହ ଶୋଭାଯାତ୍ରା ଯାଉଥିବା ରାସ୍ତାର ପାଶ୍ୱର୍ବର୍ତ୍ତୀ ଘର ଗୁଡିକରେ ଥିବା ବୃଦ୍ଧ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ଏହାର ସାଂଘାତିକ ପ୍ରଭାବ ପଡୁଛି । ତେଣୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କିନ୍ତୁ ଏହାସତ୍ତ୍ୱ ମଧ୍ୟ ନିୟମର ଉଲ୍ଲଂଘନ ହେଉଥିବା କାରଣରୁ ଏକ ନମ୍ବର ଜାରି କରାଯାଇ ପୋଲିସକୁ ସୂଚନା ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ।