କନକ ବ୍ୟୁରୋ: ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ, ସମୁଦ୍ର ଭିତରେ ଆହୁରି ବଳ ଗୋଟାଇ ଧିରେ ଧିରେ ଉପକୂଳ ଆଡକୁ ଆଗଉଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏକାଧିକ ଥର ଦିଗ ପରିବର୍ତ୍ତନ କରି ସମୁଦ୍ର ଭିତରେ ଗତି କରିବ । ଆଉ ଗତି ପଥ ଏମିତି ରହିବ । ପ୍ରଥମେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାପରେ ପୁଣି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୨୫ ତାରିଖ ସନ୍ଧ୍ୟାରେ ବାଙ୍ଗଲାଦେଶର ଖେପୁପୁରା ଓ ଚିଟାଙ୍ଗଗ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

Advertisment

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇଏମଡିର ଆକଳନ ଅନୁସାରେ ବାତ୍ୟାଟି ଓଡିଶାର ଉପକୂଳ ଠାରୁ ପ୍ରାୟ ୨ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ । ଅର୍ଥାତ ଓଡିଶା ଉପକୂଳ ଠାରୁ ବହୁ ଦୂରରେ ଗତି କରୁଥିବାରୁ ଓଡିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବ ନାହିଁ । ହେଲେ, ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୪ରେ କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୨୫ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆଇଏମଡିର ପୂର୍ବାନୁମାନ ପରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନର, ସମସ୍ତ ବିଭାଗର ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓସଡମା ନିର୍ଦ୍ଦେଶକଙ୍କୁ ସବୁ ପରିସ୍ଥିତିର ମୁକାବିଲ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତଳିଆ ଅଂଚଳ ଉପରେ ନଜର ରଖିବାକୁ କହିଛନ୍ତି । ଜେନେରେଟର, ପାଣି ପମ୍ପ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବର୍ଷା ଓ ପବନ ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।