ବଡଦାଣ୍ଡରେ ଥିବା ଘର ଛାତରୁ ରଥଯାତ୍ରା ଦେଖିବା ମନା । ଘରେ ରହି ରଥଯାତ୍ରା ଦେଖିପାରିବେ ଭକ୍ତ । 

426

କନକ ବ୍ୟୁରୋ : ଛାତ ଉପରୁ ରଥଯାତ୍ରା ଦେଖିବା ମନା । ପୂର୍ବ ନିଷ୍ପତିରେ ପରିବର୍ତ୍ତନ କଲା ଜିଲ୍ଲା ପ୍ରଶାସନ । ଚଳିତବର୍ଷ ବଡଦାଣ୍ଡରେ ଥିବା ଘରର ଛାତରୁ ରଥଯାତ୍ରା ଦେଖିବା ଉପରେ କଟକଣା ଲଗାଯାଇଛି । ଭକ୍ତ କେବଳ ଘରେ ରହି ମହାପ୍ରଭୁଙ୍କ ଦର୍ଶନ ସହ ରଥଯାତ୍ରା ଦେଖିପାରିବେ । କିନ୍ତୁ ଘରର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଯେପରି ଘରକୁ ନ ଆସନ୍ତି ତାହାର ସର୍ଭେ କରାଯିବ ।

ଏହାସହ ରଥଯାତ୍ରା ବେଳେ ସମଗ୍ର ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡରେ ଥିବା ହୋଟେଲରେ ସର୍ଭେ କରି ପର୍ଯ୍ୟଟକଙ୍କୁ ଖାଲି କରାଯିବ । ପୂର୍ବ ନିଷ୍ପତିରେ ପରିବର୍ତ୍ତନ ନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ଆଗାମୀ ଜୁଲାଇ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥିପାଇଁ ଆଜି ଆସିପାରେ ଏସଓପି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥ ଯାତ୍ରା । ତେଣୁ ଅଣସରଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ଉପରେ ମୋହର ବାଜିବ । ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ସାମିଲ ହେବେ ସମସ୍ତ ନିଯୋଗ ସହ ଶ୍ରିମନ୍ଦିର ପରିଚାଳନା କମିଟି ସଦସ୍ୟ । ବୈଠକରେ ପୂର୍ବରୁ ହୋଇଥିବା ନୀତି ନିର୍ଘଂଟ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ସମସ୍ତ ନିଯୋଗର ସେବାୟତମାନେ କିଭଳି ପରସ୍ପର ସହ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳାର ସହ ସମ୍ପାଦନ କରିବେ, ସେନେଇ ବୈଠକରେ ଆଲୋଚନା କରାଯିବ । ସେବାୟତ, ପୋଲିସ ଓ ପ୍ରଶାସନ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରି ଯେଉଁମାନଙ୍କର ରପୋର୍ଟ ନେଗେଟିଭ ଆସିବ ଏବଂ ଟିକାର ଦୁଇଟି ଡୋଜ୍ ନେଇଥିଲେ ଯାତ୍ରାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।