ପାହାଡି ମଣିଷଙ୍କ ଦୁଃଖ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ନିୟମଗିରି ଅଧିବାସୀ । ମ୍ୟାଲେରିଆ ପୀଡିତଙ୍କୁ ମିଳୁନି ଚିକିତ୍ସା !

42

କନକ ବ୍ୟୁରୋ: ନିୟମଗିରି ପାହାଡ଼। ଆଦିମ ଜନଯାତି ଡଙ୍ଗରିଆ କନ୍ଧଙ୍କ ବସବାସ, ନିୟମଗିରିକୁ ନେଇ ଅନେକ ସମୟରେ ଅନେକ ଖବର ପ୍ରସାରଣ ହୋଇଛି। ଡଙ୍ଗରିଆଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଲୋକେ ସୁଫଳ ପାଉନଥିବା ଅଭିଯୋଗ କରିଛନ୍ତି । ରାୟଗଡା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ରହିଛି ୩୨ଟି ଗାଁ । ସେଠାରେ ରହୁଥିବା ଡଙ୍ଗରିଆଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ଡଙ୍ଗରିଆ ସମ୍ପ୍ରଦାୟର ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କୁନିକୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ସ୍ୱାସ୍ଥ୍ୟ ସେବା ପାଇଁ ୧୬ କିଲୋମିଟର ଚାଲିଚାଲି ବାମନଗୁଡା ଉପକେନ୍ଦ୍ର ନଚେତ୍ କଲ୍ୟାଣସିଂହପୁର ଯିବାକୁ ପଡୁଛି ।

ନିୟମଗିରି ଅଚଂଳରେ ଏବେ ପ୍ରାୟ ୫୦ରୁ ଅଧିକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ଦିନେ ନିୟମଗିରି ଅଚଂଳ ନକ୍ସଲଙ୍କ ଗଡ ପାଲଟିଥିବାରୁ ସରକାରୀ ଅଧିକାରୀ ଉକ୍ତ ଅଚଂଳକୁ ଯିବାକୁ ନାରାଜ । ଅନେକ ଗାଁରେ ବିଜୁଳି ଆଲୁଅ ସାତ ସ୍ୱପ୍ନ। କିଛି ଗାଁରେ ବିଦ୍ୟୁତ ବିଭାଗ ପକ୍ଷରୁ ଖୁଂଟ ପୋତାଯାଇଛି, କିନ୍ତୁ ବିଜୁଳି ସେବା ମିଳିପାରି ନାହିଁ । ନକ୍ସଲ ଅଚଂଳ କହି ଉନ୍ୱୟନ କାର୍ୟ୍ୟ ବନ୍ଦ ହୋଇ ଯାଇଛି । ଏହିସବୁ ସମସ୍ୟାର ସମାଧାନ ପାଇଁ ନିୟମଗିରିବାସୀ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ପ୍ରତିକାର ହୋଇନାହିଁ ।

ତେବେ ରାଜ୍ୟରେ ସରକାର ବଦଳିବା ପରେ ମୌଳିକ ସୁବିଧା ମିଳିବା ଆଶଙ୍କରେ ରାୟଗଡା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ୩ ଖଣ୍ଡ ଗାଁର ଗ୍ରମବାସୀ । ଅନ୍ୟପଟେ ଯୁଦ୍ଧକାଳୀନ ଭିତିରେ ନିୟମଗିରି ଅଚଂଳର ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଡଙ୍ଗରିଆ କନ୍ଧ ସଂପ୍ରଦାୟକୁ ସ୍ୱାବଲମ୍ବୀ କରିବା ପାଇଁ ପାର୍ସାଲି ଗାଁରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ୟ୍ୟ କରୁଛି। ତଥାପି ସମସ୍ତ ଡଙ୍ଗରିଆ ସଂପ୍ରଦାୟ ଏଯାଏଁ ବିକାଶର ଧାରାରେ ସାମିଲ ହୋଇପାରି ନାହାନ୍ତି ।