କନକ ବ୍ୟୁରୋ : କେନ୍ଦ୍ର ସରକାର ଏବେ ସାରା ଦେଶରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) ଲାଗୁ କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏନେଇ ଆଜି ଗୃହମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି । କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ପଚରାଯାଇଥିବା ଏନେଇ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ଏବେ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ନେଇ କାର୍ଯ୍ୟ ଜାରି ରହିଛି ।

Advertisment

ଅନ୍ୟପଟେ ଜନଗଣନା ୨୦୨୧ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନିତ୍ୟାନନ୍ଦ ରାୟ କହିଛନ୍ତି କି ଜାତି ଭିତ୍ତିରେ ଜନଗଣନା କରିବାକୁ ନେଇ ଏବେ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ଆଗକୁ ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବ । ତଥ୍ୟ ସଂଗ୍ରହପାଇଁ ଏକ ମୋବାଇଲ ଆପ୍ ଓ ଏକ ଜନଗଣନା ପୋର୍ଟାଲର ବିକଶିତ କରାଯାଇଥିବା ନେଇ ସେ ସଂସଦରେ ସୂଚନା ଦେଇଛନ୍ତି ।

ଏହାସହ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେତେ ବାହାର ରାଜ୍ୟର ଲୋକ ସେଠାରେ ଜମି କିଣିଛନ୍ତି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି କି ବାହାର ରାଜ୍ୟର ଲୋକ ହୁଅନ୍ତୁ କିମ୍ବା ସରକାର ଏବେବି ଜମ୍ମୁ-କାଶ୍ମୀରରେ ଜମି କିଣିବା ପାଇଁ ଅନେକ କଠିନ ପ୍ରକ୍ରିୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ଧାରା ୩୭୦ ଉଚ୍ଛେଦ ପରେ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ବାହାର ଲୋକ ଜମ୍ମ-କାଶ୍ମୀରରେ ଜମି କିଣିଥିବା ସେ ସଂସଦକୁ ସୂଚନା ଦେଇଛନ୍ତି ।