କରୋନା ମୃତ୍ୟୁରେ ଚୀନକୁ ଟପିଗଲା ଇଟାଲୀ । ଗତ ୪୮ ଘଂଟାରେ ଇଟାଲୀରେ ଗଲାଣି ୯ ଶହ ଜୀବନ

4,963

କନକ ବ୍ୟୁରୋ: ବିଶ୍ୱର ୧୭୬ ରାଷ୍ଟ୍ରକୁ କରୋନା ଭୂତାଣୁ ବ୍ୟାପିଛି । ବିଶ୍ୱର ୨ଲକ୍ଷ ୨୭ ହଜାର ୭୬୪ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୯୮୩୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୮୦୦ ଶହ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୪୦୦ ପାର୍ ହୋଇଛି ।

ବଡ କଥା ହେଲା, ଚୀନରେ ବର୍ତ୍ତମାନ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ଇଟାଲିରେ କିନ୍ତୁ କାୟା ମେଲାଇ ବ୍ୟାପିଚାଲିଛି କରୋନା ଭାଇରସ । ଅର୍ଥାତ୍ ଚୀନରେ କରୋନା ଯୋଗୁଁ ମୋଟ୍ ୩୨୪୮ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲି ଏବେ ଚୀନକୁ ବି ଟପି ଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଏବେ ଇଟାଲିରେ କରୋନାର ସ୍ଥିତି ବିପଦଜ୍ଜନକ ରହିଛି । ଗତ ୪୮ ଘଂଟାରେ ଇଟାଲିରେ ୯ ଶହରୁ ଅଧିକ ଲୋକଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଗୁରୁବାର ଦିନ ଇଟାଲିରେ ୪୨୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ୪୭୫ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ଏସବୁକୁ ମିଶାଇ ଇଟାଲିରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ମିଳିଥିବା ସୂଚନାରୁ ଜଣାପଡିଛି । ସେପଟେ ଗତ ୪୮ ଘଂଟା ଭିତରେ ଚୀନରେ କୋଣସି କରୋନାଜନିତ ମୃତ୍ୟୁ ଘଟିନଥିବା ସୂଚନା ମିଳିଛି ।

ସେହିଭଳି ଇରାନରେ ମୃତ୍ୟୁସଂଖ୍ୟା ୧୨୮୪ରେ ପହଁଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୫୦୦ ଟପିଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୭୬୭ରେ ପହଁଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୧୪୭ରେ ପହଁଚିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩ ପହଁଚିଥିବାବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଛି । ଫ୍ରାନ୍ସରେ ବି ସ୍ଥିତି ଜଟିଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୧୩୪ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୦୦ରେ ପହଁଚିଛି । ମାତ୍ର ୨୪ ଘଂଟା ଭିତରେ ୧୦୮ଜଣଙ୍କ ଜୀବନ ଯାଇଛି । ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୬୨୬ରେ ପହଁଚିଛି । ଭାରତରେ ୧୮୦ରୁ ଅଧିକ କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।