ଛାତ୍ର ସଂସଦ ନିର୍ବାଚନ କେବେ? ବଢ଼ୁଛି କ୍ୟାମ୍ପସ ଅଶାନ୍ତି, ୨୦ରୁ ଅଧିକ ଆହତ, ତାରିଖ ଘୋଷଣା ଅପେକ୍ଷାରେ ୩ ଛାମୁଆ ସଙ୍ଗଠନ

33

କନକ ବ୍ୟୁରୋ: ଅଶାନ୍ତ ହୋଇପଡ଼ିଲାଣି କଲେଜ/ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ଭୁବନେଶ୍ୱରରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁଠି ଛାତ୍ର ସଂସଦ ନିର୍ବାଚନ ତାତି। ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନଗୁଡ଼ିକ ନିଜ ସପକ୍ଷରେ ଅଧିକ ଛାତ୍ରଛାତ୍ରୀଙ୍କୁ ରଖିବା ପାଇଁ ଉଦ୍ୟମ କରୁଛନ୍ତି। ଯେଉଁଥିପାଇଁ କ୍ୟାମ୍ପସରେ ଅଶାନ୍ତି ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ୧୦ଟି କ୍ୟାମ୍ପସ ଗଣ୍ଡଗୋଳରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇସାରିଲେଣି। କେତେକ କ୍ୟାମ୍ପସ ପାଇଁ ଛାତ୍ର ସଙ୍ଗଠନଗୁଡ଼ିକ ପ୍ରାର୍ଥୀ ଘୋଷଣା କରି ଅର୍ଥ ଖର୍ଚ୍ଚ କଲେଣି। କ୍ୟାମ୍ପସ ରାଜନୀତି ସରଗରମ ହେଉଥିଲେ ମଧ୍ୟ ତାରିଖ ଘୋଷଣା ହେଉ ନଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଶଙ୍କା ବଢ଼ିବାରେ ଲାଗିଛି।

ପ୍ରତିବର୍ଷ ଦଶହରା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ସେହି ଅନୁଯାୟୀ ଦେଖିଲେ ଅକ୍ଟୋବର ୧୪ରୁ ଦଶହରା ଛୁଟି ହେଉଥିବାରୁ ଏହାପୂର୍ବରୁ ଅର୍ଥାତ୍ ୧୨ରେ ନିର୍ବାଚନ ହେବ। ୧୩ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ ଛୁଟି ଘୋଷଣା କରାଯିବ। ଏନେଇ ଏକ ଫାଇଲ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ମୋହର ବାଜି ପାରି ନାହିଁ। ବିଗତ ବର୍ଷଗୁଡ଼ିକର ନିର୍ବାଚନକୁ ଦେଖିଲେ ଯେଉଁଦିନ ନିର୍ବାଚନ ହୁଏ ତାହାର ୨୦ ଦିନ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଏଥର ଦଶହରା ଛୁଟିକୁ ଆଉ ମାତ୍ର ୧୬ ଦିନ ବାକି ରହିଛି। ହେଲେ ନିର୍ବାଚନ ତାରିଖ ଘୋଷଣା ହୋଇନି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ନିର୍ବାଚନ ତାରିଖ ଘୋଷଣା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଅପେକ୍ଷା କର।

ଅନ୍ୟପକ୍ଷରେ ଏଥର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇ ନଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ କିନ୍ତୁ ଖର୍ଚ୍ଚ କରି ଚାଲିଛନ୍ତି। ବ୍ୟାନର, ପ୍ରଚାରପତ୍ର ଆଦି ବାଣ୍ଟିଲେଣି। ଛାତ୍ର ବିଜେଡି, ଏବିଭିପି ଓ ଛାତ୍ର କଂଗ୍ରେସ ଏଥର ଅଧିକାଂଶ କ୍ୟାମ୍ପସରେ ପ୍ରାର୍ଥୀ ଦେଉଥିବାରୁ ସମସ୍ତେ ଏବେ ତାରିଖ ଘୋଷଣାକୁ ଅପେକ୍ଷା କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଶ ପଣ୍ଡା ଅଭିଯୋଗ କରିଛନ୍ତି କେତେକ କ୍ୟାମ୍ପସରେ ଛାତ୍ର ବିଜେଡିର ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା କମ୍ ରହୁଛି। ତେଣୁ ନିର୍ବାଚନ ପୂର୍ବରୁ ସେଠାକୁ ବିଜେଡି ନେତା ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।

ଏପରିକି ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ହଷ୍ଟେଲ ଉଦଘାଟନ କରିବେ ବୋଲି ଶୁଣିବାକୁ ମିଳୁଛି। ସେଥିପାଇଁ ଜାଣିଶୁଣି ତାରିଖ ଘୋଷଣା କରାଯାଉନି। ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ କହିଛନ୍ତି ଗତବର୍ଷ ୪୫ ଦିନ ଆଗରୁ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାରୁ ରାଜ୍ୟର ବହୁ କ୍ୟାମ୍ପସରେ ଅଶାନ୍ତି ଦେଖିବାକୁ ମିଳିଥିଲା। କ୍ୟାମ୍ପସର ଶୈକ୍ଷିକ ବାତାବରଣ ବଜାର ରଖିବା ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ଏବିଭିପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର। ଠିକ୍ ସମୟରେ ତାରିଖ ଘୋଷଣା କରାଯିବ।