ଓଡିଶା ପାଇଁ ଭଲ ଖବର : ଦୀର୍ଘ ୬ମାସ ପରେ ପ୍ରଥମ ଥର ପାଇଁ ୨୪ ଘଂଟାରେ ହୋଇନି କରୋନା ମୃତ୍ୟୁ

ସେପଟେ ବ୍ରିଟେନରେ ଭୟଙ୍କର ହେଉଛି କରୋନା ନୂଆ ଭୂତାଣୁ ସଂକ୍ରମଣ, ଦିନକରେ ୬୦ ହଜାର ଆକ୍ରାନ୍ତ ଚିହ୍ନଟ; ଆମେରିକାରେ ୨୪ ଘଂଟାରେ ୩ହଜାର ୯ଶହ ଜଣଙ୍କ ମୃତ୍ୟୁ

129

କନକ ବ୍ୟୁରୋ : କରୋନା ବିରୋଧୀ ଲଢ଼େଇରେ ଓଡିଶାକୁ ମିଳିଛି ବଡ ସଫଳତା । ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ କରୋନା ଜନିତ ମତ୍ୟୁ ସଂଖ୍ୟା ଶୂନରେ ପହଁଚିଛି । । ଜାନୁଆରୀ ୫ ରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି । ଏଥିପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ସରକାର ।

ସେପଟେ ବ୍ରିଟେନରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଲି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି ।