ଓଡିଶା ପ୍ରତି ନାହିଁ ଚାଇନା ଭାଇରସର ବିପଦ । କରୋନା ଭୂତାଣୁକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଡାକ୍ତର

କରୋନାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଲା ଡିଏମଇଟି; ସେପଟେ ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୧୧

589

କନକ ବ୍ୟୁରୋ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ତେବେ ରାଜ୍ୟରେ କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛି ଡିଏମଇଟି । ଜାନୁଆରୀ ୧୫ରୁ ଆଜି ଯାଏଁ କରୋନା ଆକ୍ରାନ୍ତ ସନ୍ଦେହରେ ୪୩ ଜଣଙ୍କ ମଧ୍ୟରୁ କାହାରି ମଧ୍ୟ ଭାଇରସ ଚିହ୍ନଟ ହୋଇନାହିଁ । ୪୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ନମୁନା ପୁନେ ପଠାଯାଇଥିଲା ।

କିନ୍ତୁ ସମସ୍ତଙ୍କ ନମୁନା ନେଗେଟିଭ ଆସିଛି । ନେଗେଟିଭ ଆସିଥିବା ୭ ଜଣଙ୍କୁ ଛାଡି ଦିଆଯାଇଥିବା ବେଳେ ୩୬ ଜଣଙ୍କୁ ହୋମ ସର୍ଭିଲାନ୍ସରେ ରଖାଯାଇଛି । ସେମାନଙ୍କ ନିକଟରେ କରୋନା ଭାଇରସ ଲକ୍ଷଣ ଦେଖାଯାଇନି କିନ୍ତୁ ସାବଧାନତା ଦୃଷ୍ଟିରୁ ସେମାନଙ୍କୁ ହୋମ ସର୍ଭିଲାନ୍ସରେ ରଖାଯାଇଛି । ଥାଇଲାଣ୍ଡ, ସିଙ୍ଗାପୁର ଓ ଚୀନରୁ ଆସିଥିବା ଲୋକଙ୍କ ଉପରେ ତୀଷ୍ମ ଦୃଷ୍ଟି ରଖାଯାଇଛି । ଏହାସହ ସରକାରଙ୍କ ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲରୁମ ଖୋଲାଯାଇଛି ।

ସେପଟେ ଚୀନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ବିଦେଶୀ ନାଗରିକଙ୍କ ଜୀବନ ଯାଇଛି । ହଂକଂରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୧ କୁ ବୃଦ୍ଧି ହୋଇଛି । ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୫୪୬ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆଧିକାଂଶ ଆକ୍ରାନ୍ତ ସଂଖ୍ୟା କେନ୍ଦ୍ର ହୁବେଇ ପ୍ରୋଭିନ୍ସରୁ ଅଛନ୍ତି । ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୮୦୦କୁ ବଢି ଯାଇଛି । ବଢୁଥିବା କରୋନା ସ୍ଥିତିକୁ ନେଇ ମୁକାବିଲା କରିବାକୁ ଚୀନ ସରକାର ଅତି କଠୋର ନୀତି ଆପଣାଇଲେଣିି ।

କରୋନା ଲୁଚାଇଲେ ଗିରଫ ହେବ । ସଂକ୍ରମଣ ରୋକିବାରେ ବାଧା ଦେଲେ ମିଳିବ ମୃତ୍ୟୁଦଣ୍ଡ । ଚୀନରେ କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହ ହେଲେ ତାଙ୍କୁ ତୁରନ୍ତ ଚିକିତ୍ସା କ୍ୟାମ୍ପକୁ ଆସିବାକୁ କୁହାଯାଇଛି । ଭୂତାଣୁ ସଂକ୍ରମଣ ସତ୍ୱେ କେହି ପ୍ରଶାସନକୁ ନଜଣାଇଲେ , ମାସ୍କ ବ୍ୟବହାର ନକଲେ , ସେମାନଙ୍କ ସହିତ ତାଙ୍କର ପୁରା ପରିବାର ସଦସ୍ୟଙ୍କୁ ଗିରଫ କରି ସରକାରଙ୍କ ଦ୍ୱାରା ସ୍ଥାପିତ କ୍ୟାମ୍ପରେ ରଖିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହ ମଧ୍ୟରେ ଉହାନରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସବୁ ଲୋକଙ୍କ ଦେହର ତାପମାତ୍ରା ଯାଂଚ କରୁଛନ୍ତି ।