କନକ ବ୍ୟୁରୋ : କରୋନାର ଭୟ ଭିତରେ ଆଉ ଏକ ଚିନ୍ତାର କାରଣ ହେଉଛି ଲକ୍ଷଣ ବିହୀନ କରୋନା ରୋଗୀ । ଅର୍ଥାତ୍, ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଅଛି କିନ୍ତୁ ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ଆଜି ଏନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଭାରତର ପ୍ରାୟ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଏହିଭଳି ଲକ୍ଷଣ ବିହୀନ ବା ଏ-ସିମ୍ପଟୋମାଟିକ୍ କରୋନା ପଜିଟିଭ । କିଛିଦିନ ପୂର୍ବରୁ ଓଡିଶାର ମୁଖ୍ୟ ଶାସନ ସଚିବ ମଧ୍ୟ କହିଥିଲେ, ଓଡିଶାରେ ମଧ୍ୟ ୮୦ ପ୍ରତିଶତ କରୋନା ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ତେବେ ଚିନ୍ତାର କାରଣ ହେଉଛି, ଲକ୍ଷଣ ନଥିଲେ ସେଇ ବ୍ୟକ୍ତି ନିଜ ଉପରେ ସନ୍ଦେହ ନକରି ସମସ୍ତଙ୍କ ସହ ମିଶନ୍ତି ଏବଂ ଏହା ଫଳରେ କରୋନା ବହୁ ଜଣଙ୍କୁ ବ୍ୟାପି ଯାଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାରା ବିଶ୍ୱକୁ ଗ୍ରାସ କରିଛି କରୋନା ଭୂତାଣୁ । ଏହାକୁ ପ୍ରତିହତ କରିବା ପାଇଁ ଜୋରଦାର ଲଢେଇ ଚାଲିଥିବା ବେଳେ କିଛି ଏମିତି ଉପାୟ ଅବଲମ୍ବନ କରାଯାଇଛି, ଯାହା ଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକିହେବ । ବିଶେଷ କରି ତାଲା ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ସହିତ ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଆଉ ଏହାରି ଭିତରେ ପ୍ରଶ୍ନ ଉଠିଛି, ଲକ୍ଷଣ ବିହୀନ ରୋଗୀଙ୍କ ଦ୍ୱାରା କରୋନା ସଂକ୍ରମଣକୁ ରୋକି ହେବ କି ?
ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭାରତରେ ୮୦ ପ୍ରତିଶତ ସଂକ୍ରମଣ କ୍ଷେତ୍ରରେ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଏହା ଯେତିକି ଚିନ୍ତାଜନକ ସେତିକି ସ୍ପର୍ଶକାତର । କାରଣ ସମସ୍ତଙ୍କ ଅଜାଣତରେ ଏମାନେ ବନିଯାଇଥାନ୍ତି ସୁପର ସ୍ପ୍ରେଡର । ବିଶେଷଜ୍ଞଙ୍କ ମତରେ ଜଣେ ପଜିଟିଭ ରୋଗୀ କେତେଜଣଙ୍କୁ ଆକ୍ରାନ୍ତ କରୁଛି ତାହା ଜାଣିବା ଯଥେଷ୍ଟ ନୁହେଁ । କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେଫ୍ରି ସମନଙ୍କ ମତରେ ଏହି ସଂକ୍ରମଣ ଉପରେ ପରିବେଶର କଣ ପ୍ରଭାବ ରହିଥାଏ ତାହା ଜାଣନ୍ତୁ । ପ୍ରଫେସରଙ୍କୁ ମିଳିଥିବା ପ୍ରମାଣ ଅନୁସାରେ ଚାଇନାରେ ଏହି ମହାମାରୀ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଦ୍ୱାରା ବ୍ୟାପିଥିଲା । ତାଙ୍କର ଆକଳନ ଅନୁସାରେ ୮୬ ପ୍ରତିଶତ ସଂକ୍ରମିତଙ୍କ ଠାରେ କୌଣସି କରୋନା ଲକ୍ଷଣ ନଥିଲା ।
ବିନା ଲକ୍ଷଣରେ ଏତେ ପରିମାଣର ଲୋକ ଚାଇନାରେ ରୋଗର ବାହକ ସାଜିଥିବା ବେଳେ ସେମାନଙ୍କ ଅଜାଣତରେ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଥଲେ । ଆଉ ଏମାନଙ୍କୁ କୁହାଗଲା ସାଇଲେଂଟ ସ୍ପ୍ରେଡର । ଏହି ସାଇଲେଂଟ ସ୍ପ୍ରେଡରମାନେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ବଢାଇବାରେ ବେଶ ଗୁରୁତ୍ୱପୂଣ୍ଣ ର୍ ଭୂମିକା ଗ୍ରହଣ କରିଛନ୍ତି ।
ଆଉ ଏକ ଗବେଷଣାରୁ ଜଣାପଡିଛି, ଚାଇନାରେ ଗୋଟିଏ ପରିବାରର ସଦସ୍ୟଙ୍କ ଠାରେ କୌଣସି ଲକ୍ଷଣ ନଥିବା ବେଳେ ପରବର୍ତି ସମୟରେ ସେହି ପରିବାରର ସଦସ୍ୟମାନେ ବହୁତ ସାଂଘାତିକ ସ୍ଥିତିରେ ପହଂଚିଛନ୍ତି । ଆଇସଲ୍ୟାଣ୍ଡରେ ରାପିଡ ଟେଷ୍ଟିଂ ବେଳେ ଜଣାପଡିଥିଲା ପାଖାପାଖି ୫୦ ପ୍ରତିଶତ କରୋନା ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା ।
କାହା ପାଖରେ କରୋନା ସଂକ୍ରମଣ ହୋଇଛି ଏହା ଜାଣିବା ଯେତିକି ଜରୁରୀ ତାଠାରୁ ଅଧିକ ଜରୁରୀ ହୋଇଛି କାହା ଦ୍ୱାରା ଏହା ବ୍ୟାପୁଛି । କାରଣ ଚାଇନାରେ କିଛି ଏହିପରି ସାଇଲେଂଟ ସ୍ପ୍ରେଡରଙ୍କ ଠାରୁ କରୋନା ବ୍ୟାପିଛି ।