ନ୍ୟୁଜିଲାଣ୍ଡରେ କରୋନା ନିପାତ! ୧୭ ଦିନ ହେବ ଆସିନି ନୂଆ କରୋନା କେସ୍, ଆଉ ଗୋଟିଏ ସପ୍ତାହର ଅପେକ୍ଷା । ବଡ ଘୋଷଣା କରିବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।

1,520

କରୋନା ଭାଇରସ ପୂରା ବିଶ୍ୱରେ କାୟା ମେଲାଉଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ ଏହି ଭାଇରସ ଉପରେ ଏକପ୍ରକାର ବିଜୟପ୍ରାପ୍ତ କରିଛି । ଯେଉଁଠି କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି, ସେଭଳିସ୍ଥଳେ ଗତ ୧୭ ଦିନ ହେବ ନ୍ୟୁଜିଲାଣ୍ଡରେ କରୋନାର କୌଣସି ନୂଆ କେସ୍ ସାମ୍ନାକୁ ଆସିନାହିଁ । ଏପରିକି ଦେଶର ହସ୍ପିଟାଲରେ ମଧ୍ୟ ଏବେ କୌଣସି ସଂକ୍ରମିତ ନାହାନ୍ତି । କାରଣ ନ୍ୟୁଜିଲାଣ୍ଡର ଶେଷ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ପରେ ସୋମବାର ମଧ୍ୟରାତ୍ରରୁ ଦେଶରେ ସମସ୍ତ ପ୍ରତିବନ୍ଧକକୁ ହଟାଇଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ।

ନ୍ୟୁଜିଲାଣ୍ଡର ଶେଷ କରୋନା ସଂକ୍ରମିତ ଜଣେ ମହିଳା ଥିବା ବେଳେ ଗତ ଶନିବାରରୁ ସେ ସୁସ୍ଥ ହୋଇଛନ୍ତି । ଏପରିକି ମହିଳାଙ୍କ ଶରୀରରେ କୌଣସି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିନାହିଁ । ଆଉ ଏହାପରେ ପ୍ରଧାନମନ୍ତ୍ରୀ ଅର୍ଡନ କହିଛନ୍ତି ଯେ, ଦେଶ ଏବେ ଲେବଲ-୧ରୁ ଆଗକୁ ବଢିବ । ତେବେ ଏହି ସମୟରେ ସାମାଜିକ ଦୂରତା ନିୟମ ଲାଗୁ ରହିବ । ସୋମବାର ମଧ୍ୟରାତ୍ରରୁ ବାହାଘର, ଅନ୍ତିମ ସଂସ୍କାର, ସାଧାରଣ ପରିବହନ ବିନା କୌଣସି କଟକଣାରେ ଚାଲିପାରିବ । ତେବେ ଆଉ ଗୋଟିଏ ସପ୍ତାହ ଅପେକ୍ଷା କରିବାକୁ ପଡିବ । ଯଦି କରୋନାର କୌଣସି ନୂଆ କେସ୍ ସାମ୍ନାକୁ ନ ଆସେ ତେବେ ନ୍ୟୁଜିଲାଣ୍ଡକୁ ବିଶ୍ୱର ପ୍ରଥମ କରୋନା ମୁକ୍ତ ଦେଶ ବୋଲି ଘୋଷଣା କରାଯିବ ।

୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୧୫୦୪ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ଯେଉଁଥିରୁ ୨୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ତେବେ ଗତ ୧୭ ଦିନ ହେବ କୌଣସି ନୂଆ କରୋନା କେସ୍ ସାମ୍ନାକୁ ଆସିନି । କରୋନା ଉପରେ ନ୍ୟୁଜିଲାଣ୍ଡର ଏହି ବିଜୟ ପଛର ବଡ ଶ୍ରେୟ ୩୯ ବର୍ଷୀୟ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କୁ ଦିଅଯୋଉଛି । ଅର୍ଡନଙ୍କ ସମୟ ଉପଯୋଗୀ ପଦକ୍ଷେପ ଓ କଡା କଟକଣା ପାଇଁ ନ୍ୟୁଜିଲାଣ୍ଡରେ କରୋନା ନିପାତ ହୋଇଛି । ଆଉ ଅର୍ଡନଙ୍କ କାର୍ଯ୍ୟକୁ ଏବେ ପୂରା ବିଶ୍ୱରେ ପ୍ରଂଶସା କରାଯାଉଛି । କାରଣ ଇଟାଲୀରେ ଯେଉଁଭଳି ସ୍ଥିତି ଉପୁଜିଥିଲା ତାହା ନ୍ୟୁଜିଲାଣ୍ଡରେ ହେବାକୁ ଦେବେନି ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଥିଲେ ଜେସିଣ୍ଡା । ଦେଶରେ ଫେବ୍ରୁଆରୀ ୨୮ରେ କରୋନାର ପ୍ରଥମ କେସ୍ ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚ ମଝିରେ ଜେସିଣ୍ଡା ନେଇଥିଲେ ବଡ ନିଷ୍ପତ୍ତି । ନ୍ୟୁଜିଲାଣ୍ଡକୁ ଆସୁଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ୧୯ ମାର୍ଚ୍ଚରୁ ବାହାର ଦେଶର ଲୋକଙ୍କ ନ୍ୟୁଜିଲାଣ୍ଡ ଆସିବା ଉପରେ କଟକଣା ଲଗାଇଥିଲେ ।