ଅଘୋଷିତ ବିଦ୍ୟୁତ୍ କାଟ ଉପରେ ନାହିଁ ଲଗାମ । ଖୋଦ ରାଜଧାନୀରେ ବାରମ୍ବାର ହେଉଛି ପାୱାରକଟ୍ । ଇନଭର୍ଟର ଥିଲେ ବି ଲୋକେ ହେଉଛନ୍ତି ହନ୍ତସନ୍ତ

270

କନକ ବ୍ୟୁରୋ: ଅଘୋଷିତ ପାୱାର କଟ୍ ପାଇଁ ହନ୍ତସନ୍ତ ରାଜଧାନୀ ବାସିନ୍ଦା । ଅତିସହ୍ୟ ଗରମକୁ ରାତି ଅଧିଆ ପାୱାରକଟ୍ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭୁବନେଶ୍ୱରର ଲୋକେ । ଇନଭର୍ଟର ଥିଲେ ବି ଲୋକେ ହେଉଛନ୍ତି ହନ୍ତସନ୍ତ । କାହିଁକି ଏଭଳି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ସେନେଇ ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

  • ବିଦ୍ୟୁତ କାଟ୍ ଉପରେ ଲାଗୁନାହିଁ ବ୍ରେକ
  • ରାଜଧାନୀରେ ବି ନିୟମିତ କଟୁଛି ଲାଇନ୍

ବାହାରେ ଗୁଳୁଗୁଳି ଆଉ ଘର ଭିତରେ ପ୍ରବଳ ଗରମ । ଗରମ ସହି ନପାରି କୁନି କୁନି ପିଲାଙ୍କ ଠାରୁ ବୟସ୍କ ଯାଏଁ ସମସ୍ତେ ହୋଇଛନ୍ତି ହନ୍ତସନ୍ତ । ଏଭଳି ଖବର କେଉଁ ଗାଁ ଗହଳିର ନୁହେଁ , ଇଏ ହେଉଛି ଖୋଦ ରାଜଧାନୀ ଭୁବନେଶ୍ୱରର । ଲୋକେ ପ୍ରତିମାସ ଇଲେକଟ୍ରିକ୍ ବିଲ ପୈଠ କରୁଛନ୍ତି । ବିଲ୍ ଦେବାରେ ଟିକେ ବିଳମ୍ବ ହେଲେ ନୋଟିସ ନୁହଁ ବରଂ ସିଧାସଳଖ ଲାଇନ କାଟି ଦେଉଛି ଟାଟା ପାଓାର । ଆଉ ତା ବଦଳରେ ଅନେକ ସମୟରେ ଏମିତି ଅନ୍ଧାରରେ କଟୁଛି ଏମାନଙ୍କ ସମୟ । ପ୍ରବଳ ଖରା ଓ ଗୁଳୁଗୁଳିରେ ଏଭଳି ଅଘୋଷିତ ବିଦ୍ୟୁତକାଟ ଲୋକଙ୍କୁ ଅସନ୍ତୋଷକୁ ବଢାଇଦେଇଛି ।

  • ଆପାର୍ଟମେଣ୍ଟରେ ଇନଭର୍ଟର ବି ଦୂର କରିପାରୁନି ସମସ୍ୟା
  • ଟ୍ରିପ ନାଁରେ ଖସିଯାଉଛି କି ଟାଟା ପାୱାର? 

ଅନେକ ଆପାର୍ଟମେଣ୍ଟରେ ଡିଜି ନଥିବାରୁ କେତେକ ଲୋକ ଇନଭର୍ଟର ରଖିଛନ୍ତି । କିନ୍ତୁ ସେତକ ବି ସମସ୍ୟା ଦୁର କରିପାରୁନାହିଁ । କେବଳ ରାତି ନୁହଁ ଦିନରେ କେତେଥର ପାଓାର କଟ୍ ହେଉଛି ତାର ହିସାବ ବି ନାହିଁ । ବାରମ୍ବାର ପାଓାର କଟ ହେଉଥିବାରୁ କିଏ ହେଲ୍ପ ଡେସ୍କକୁ ଫୋନ କରୁଛି ତ ପୁଣି କିଏ ଟୁଇଟ କରୁଛି । ଆଉ ଉତରରେ ମିଳୁଛି ୩୩ କେଭି ସମସ୍ୟା ଅଛି । କିନ୍ତୁ ଏହି ସମସ୍ୟା କେବେ ସମାଧାନ ହେବ ସେନେଇ ଟାଟା ପାଓାରକୁ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱରବାସୀ ।

ବିଦ୍ୟୁତ କାଟ୍ ନେଇ କିଏ ଟୁଇଟ କରି ସମାଧାନ ଅପେକ୍ଷାରେ ରହୁଛି ତ ଆଉ କିଏ ନିୟନ୍ତ୍ରଣ ହରାଇ ଉତ୍ୟକ୍ତ ହୋଇଯାଉଛି । ସୋମବାର ରାତିରେ ବାରମ୍ବାର ବିଦ୍ୟୁତ କାଟ୍ ହେବାରୁ ରସୁଲଗଡ ସ୍ଥିତ ଇଲେକ୍ଟ୍ରିକ ଅଫିସରେ ପହଞ୍ଚିଗଲେ ଲୋକେ । ଅଫିସ ଖୋଲା ଥିଲା ହେଲେ ନଥିଲେ କର୍ମଚାରୀ । ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ଅଫିସ ସାମନାରେ ଉତେଜନା ଦେଖିବାକୁ ମିଳିଥିଲା ।