କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ନେଇ ବାରମ୍ବାର ବିରୋଧୀମାନେ ସରକାରଙ୍କୁ ଘେରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ତଥ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ମୁତାବକ ପିଏମ କେୟାର୍ସ ଫଣ୍ଡ ଉପରେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ଏହି ଫଣ୍ଡ ଭାରତ ସରକାରଙ୍କ ସହ ନୁହେଁ ବରଂ ଏକ ଚାରିଟେବୁଲ ଟ୍ରଷ୍ଟ ସହ ଯୋଡି ହୋଇଥିବା ପିଏମଓ ପକ୍ଷରୁ କୁହାଯାଇଛି । ଏହି ଫଣ୍ଡକୁ ଆସୁଥିବା ଅର୍ଥ ଭାରତ ସରକାରଙ୍କ ସମ୍ପତ୍ତି ବୋଲି ଗଣନା କରାଯାଇ ପାରିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ପିଏମ କେୟାର୍ସ ଫଣ୍ଡକୁ ସୂଚନା ଅଧିକାର ଅଧିନିୟମ ଅଧିନକୁ ଅଣାଯାଇପାରିବ ନାହିଁ କିମ୍ବା ଏହାକୁ ରାଜ୍ୟର ତାଲିକାଭୁକ୍ତ କରାଯାଇପାରିବ ନାହିଁ ।
କହିରଖୁ କି ଏହି ଫଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟ ଓକିଲ ସମ୍ୟକ ଗଙ୍ଗବାଲଙ୍କ ତରଫରୁ ଏକ ଯାଚିକା ଦାଖଲ କରାଯାଇଥବଲା । ଏଥିରେ ଦାବି କରାଯାଇଥିଲା କି ପିଏମ କେୟାର୍ସ ଫଣ୍ଡକୁ ରାଜ୍ୟର ବୋଲି ଘୋଷଣା କରାଯାଉ ଓ ଏଥିରେ ସ୍ୱଚ୍ଛତା ବଜାୟ ରଖିବାକୁ ଏହାକୁ ସୂଚନା ଅଧିକାର ପରିସରଭୂକ୍ତ କରାଯାଉ ।
PMO informs Delhi High Court that PM CARES Fund is a "trust" whose funds are audited by an auditor who is a chartered accountant drawn from the panel prepared by the Comptroller and Auditor General of India pic.twitter.com/s887GONm5H
— ANI (@ANI) September 23, 2021
ଏହି ଯାଚିକା ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସଚିବ ପ୍ରଦୀପ ଶ୍ରୀବାସ୍ତ ଫଣ୍ଡକୁ ନେଇ ଅଦାଲତକୁ ସୂଚନା ଦେଇଛନ୍ତି ଯେ ଟ୍ରଷ୍ଟ ସମ୍ପୂର୍ଣ୍ଣ ସ୍ୱଚ୍ଛଭାବେ କାର୍ଯ୍ୟ କରୁଛି । ଏହି ଫଣ୍ଡର ଅଡିଟ୍ ଜଣେ ଅଡିଟରଙ୍କ ମାଧ୍ୟମରେ କରାଯାଉଛି । ଟ୍ରଷ୍ଟର ସ୍ୱଚ୍ଛତା ବଜାୟ ରଖିବାକୁ ଟ୍ରଷ୍ଟକୁ ମିଳୁଥିବା ଅର୍ଥ ଓ ଏହାର ବିତରଣ ନେଇ ସମ୍ପୁର୍ଣ୍ଣ ବିବରଣୀ ଅଧିକାରୀଙ୍କ ୱେବସାଇଟରେ ଅପଲୋଡ କରାଯାଉଛି । ଏହାସହ ଟ୍ରଷ୍ଟକୁ ମିଳୁଥିବା ସମସ୍ତ ଦାନ ଅନଲାଇନ ପେମେଣ୍ଟ, ଚେକ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଗ୍ରହଣ କରାଯାଉଛି ।