ଗାଁକୁ ଭରସା ବାଉଁଶ ପୋଲ: ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ପରେ ବି ନଦୀ ପାର ହେବା ପାଇଁ ନାହଁ ପକ୍କା ପୋଲ 

76

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜି ବି ଗ୍ରାମବାସୀ ମୌଳିକ ସୁବିଧା ପାଇ ପାରିନାହାନ୍ତି । ଗ୍ରାମବାସୀ ଯେ ପ୍ରତି ମୂହୂର୍ତରେ ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି ତାହା ଦେଖିଲେ ଆପଣ ବି ତାଜୁବ୍ ହେବେ । ଏହା କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ । ବ୍ଲକ ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଗ୍ରାମବାସୀଙ୍କ ଯିବା ଆସିବା ପାଇଁ ବାଉଁଶ ପୋଲ ହିଁ ଭରସା ।

ପ୍ରତି ମୂହୂର୍ତରେ ବାଜିରେ ଲାଗିଛି ଜୀବନ । ଗାଁରେ ପହଂଚିବାକୁ ହେଲେ ବାଉଁଶ ପୋଲ ଉପରେ ଯିବାକୁ ହୁଏ । ଅନେକ ଗୁହାରି ପରେ ବି ଗାଁକୁ ତିଆରି ହୋଇପାରିନି ରାସ୍ତା କି ନଦୀ ଉପରେ ପୋଲ । ଏ ଦୁଃଖଦ କଥା ହେଉଛି ମୟୂରଭଂଜ ଜିଲ୍ଲା ଖୁଂଟା ବ୍ଲକ ବାଙ୍ଗରା ପଂଚାୟତର ଉପରବାଙ୍ଗରା ଗ୍ରାମବାସୀଙ୍କର । ଗାଁରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବାଟରେ ପ୍ରତିବନ୍ଧକ ସାଜିଛି ଶିମିଳିପାଳରୁ ବହି ଆସିଥିବା ଏହି ନଦୀ । ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ ଜନ ପ୍ରତିନିଧି, ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ହେଲେ କେହି ଶୁଣୁନାହାନ୍ତି ।

ପ୍ରଶାସନ ନଶୁଣିବାରୁ ଗାଁ ଲୋକ ନିଜେ ଏହି ବାଉଁଶ ପୋଲ ତିଆରି କରିଛନ୍ତି । ଖରାଦିନେ ବାଉଁଶ ପୋଲର ନଦୀ ପାରି ହୋଇ ମାଟି ରାସ୍ତା ଦେଇ ଗାଁରୁ ସ୍କୁଲ, କଲେଜ, ହାଟ ବଜାର, ଡାକ୍ତରଖାନାକୁ ଯିବା ଆସିବା କରନ୍ତି । ଶୀତ-ଖରା ଦିନ ଯାହା ଯେମିତି କଟି ଯାଏ, ବର୍ଷା ହେଲେ ଗାଁରୁ ବାହାରିବା ମୁସ୍କିଲ ହୋଇପଡେ । ଲୋକେ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ବେଳେ ଏ ସଂପର୍କରେ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ ଖୁଂଟା ବିଡିଓ ।

ଗ୍ରାମବାସୀଙ୍କ ଏହି ସମସ୍ୟା ଆଜିକାର ନୁହେଁ, ବର୍ଷ ବର୍ଷ ଧରି ଏମିତି ଅବସ୍ଥାରେ ଗ୍ରାମବାସୀ ରହୁଥିବା ବେଳେ ସେଥିପ୍ରତି କାହାରି ନଜର ନାହିଁ । ତେବେ ପଂଚାୟତ ନିର୍ବାଚନ ଆଗରୁ ଯଦି ଗମନାଗମନ ସୁବିଧା ନହୁଏ, ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।