ଦେଶରେ ଏଯାଏଁ ହୋଇନାହିଁ କମ୍ୟୁନିଟି ଟ୍ରାନ୍ସଫର ବା ସମୂହ ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା, କେବଳ ହଟସ୍ପଟ୍ ଅଂଚଳରେ ହୋଇଛି ସ୍ଥାନୀୟ ସଂକ୍ରମଣ

258

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୩୩ । ଏଯାଏ ଏହି ଭୟଙ୍କର ଭୂତାଣୁ ୩୯୨ ଜଣଙ୍କ ଜୀବନ ନେଇଛି । ୧୩ଶହ ୪୪ ଜଣ ଚିକିତ୍ସା ପରେ ସଂକ୍ରମଣ ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟା ଭିତରେ ଦେଶରେ ୧୦୭୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ୨୪ ଘଂଟାରେ ୩୮ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭାରତରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, କେବଳ ହଟସ୍ପଟ୍ ଅଂଚଳରେ ସ୍ଥାନୀୟ ସଂକ୍ରମଣ ହୋଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ଦ୍ୱିତୀୟ ତାଲାବନ୍ଦର ପ୍ରଥମ ଦିନରେ ଏନେଇ ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି କଂଟେନମେଂଟ ଷ୍ଟ୍ରାଟେଜିକୁ ପାଳନ କରିବା ସହ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର ।

ଏହାସହ ଅବରୋଧ ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି ଆଣିଛନ୍ତି କେନ୍ଦ୍ର ସରକାର । ତିନୋଟି ବିଭାଗରେ ଦେଶରେ ସମସ୍ତ ଜିଲ୍ଲାକୁ ବିଭାଗ କରାଯାଇଛି । ପ୍ରଥମ ବିଭାଗ ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ ବିଭାଗ ଅଣ-ହଟସ୍ପଟ୍ ଜିଲ୍ଲା ଓ ଗ୍ରୀନ ଜିଲ୍ଲା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ । ଏଥିରେ ୧୭୦ ହଟ୍ସ୍ପଟ୍ ଜିଲ୍ଲା ଓ ୨୦୭ ଅଣ- ହଟସ୍ପଟ୍ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି, ଜିଲ୍ଲାପାଳ, ଏସ୍ପି, ମୁନସିପାଲ୍ କମିଶନର୍ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭିଡିଓ କନ୍ଫରେନ୍ସରେ କ୍ୟାବିନେଟ ସଚିବଙ୍କ ଆଲୋଚନା ପରେ ଅବରୋଧ ଅଂଚଳକୁ ନେଇ କିଛି ଏହିପରି ଗାଇଡ୍ଲାଇନ୍ ଜାରି କରାଯାଇଛି ।