ପରିବାରରୁ କେହି ନିର୍ବାଚନ ଲଢ଼ିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଲେ ନବୀନ । କହିଲେ, ରାଜନୀତିକୁ ଆସିବେନି ପରିବାରରୁ କେହି, ଲୋକେ ବାଛିବେ ବିଜେଡିର ପରବର୍ତ୍ତି ନେତା

517

କନକ ବ୍ୟୁରୋ: ରାଜନୀତିକୁ ଆସିବେ ନାହିଁ ନବୀନଙ୍କ ପରିବାର ସଦସ୍ୟ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ସ୍ପଷ୍ଟ କଲେ ବିଜେଡି ସୁପ୍ରିମୋ । ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ନବୀନଙ୍କ ଲୋକପ୍ରିୟତା ଏବେ ଶିଖର ଛୁଇଁଛି । ମୋଦି ହାୱାକୁ କାଉଂଟର କରି ବିଧାନସଭାରେ ନବୀନ ପାଇଥିବା ସଫଳତାର ଫର୍ମୁଲା ଜାଣିବାକୁ ସମସ୍ତେ ଆଗ୍ରହୀ । ଏହି କ୍ରମରେ ଜାତୀୟ ଗଣମାଧ୍ୟମଗୁଡିକ ନବୀନଙ୍କ ପ୍ରତିକ୍ରିୟା ନେଉଛନ୍ତି । ତେବେ ଟାଇମ୍ସ ଅଫ ଇଣ୍ଡିଆର ଅଶୋକ ପ୍ରଧାନ ଓ ରାଜୀବ ଦେଶପାଣ୍ଡେଙ୍କୁ ଦେଇଥିବା ସାକ୍ଷାତକାରରେ ପରିବାର ରାଜନୀତି ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ଟାଣିଦେଇଛନ୍ତି ବିଜେଡି ସୁପ୍ରିମୋ ।

ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଏଥର ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ ଲଢି ଜିତିଛନ୍ତି । ନିୟମ ଅନୁସାରେ ତାଙ୍କୁ ଗୋଟିଏ ଛାଡିବାକୁ ପଡିବ । ତେଣୁ ସେ ଏହି ଆସନ ଛାଡିଲେ, ତାଙ୍କ ପରିବାରରୁ କେହି ଏହି ଆସନରେ ଲଢିବେ କି ବୋଲି ପ୍ରଶ୍ନରେ ନବୀନ ସଫାସଫା କହିଦେଇଛନ୍ତି । ତାଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବେ ନାହିଁ । ଏପରିକି ସେ କେଉଁ ଆସନଟି ଛାଡିବେ, ତାହା ମଧ୍ୟ ସ୍ଥିର କରିନଥିବା ନବୀନ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ।

ତେବେ ତାଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବ ପ୍ରଶ୍ନର ଉତରରେ ନବୀନ କହିଛନ୍ତି ଯେ, ଲୋକେ ଦଳର ପରବର୍ତୀ ନେତା ବାଛିବେ । ଫଳରେ ନବୀନ ତାଙ୍କ ବଡଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ବିଜେଡିର ଉତରାଧିକାରୀ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଆଲୋଚନା ଲାଗିରହିଥିଲା ତାହାର ସମାପ୍ତି ଘଟିଛି । ଚର୍ଚ୍ଚା ହେଉଥିଲା ଯେ, ନବୀନ ହିଞ୍ଜିଳି ଆସନ ଛାଡିବେ ଏବଂ ଏଠାରୁ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ନିର୍ବାଚନ ଲଢି ରାଜ୍ୟ ରାଜନୀତିରେ ଡେବ୍ୟୁ କରିବେ ।