ଚୀନକୁ ସାବାଡ କରିବାକୁ ଭାରତର ଆଉ ଏକ ବଡ ପଦକ୍ଷେପ । ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେନି ଚୀନ କିମ୍ବା ପାକିସ୍ତାନର କୌଣସି ସଂସ୍ଥା ।

506

କନକ ବ୍ୟୁରୋ : ଚୀନକୁ ଚାରିପଟୁ ଘେରିବା ପାଇଁ ମୋଦି ସରକାରଙ୍କ ରଣନୀତିର ଆଉ ଏକ କୂଟନୈତିକ ପଦକ୍ଷେପ । ୫୯ ଆପ ବ୍ୟାନ ପରେ ଚୀନ ନିବେଶ ଉପରେ ଲାଗିଲା କଟକଣା । ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେନି ଚୀନ କିମ୍ବା ପାକିସ୍ତାନର କୌଣସି ସଂସ୍ଥା । ସୀମାରେ ଉତ୍ପାତ କରୁଥିବା ଚୀନକୁ ଆର୍ଥିକ ମୋର୍ଚ୍ଚାରେ ଦୁର୍ବଳ କରିଦେବା ପାଇଁ ଆଉ ଏକ ବଡ ପଦକ୍ଷେପ ନିଆଯାଇଛି । ଯାହାର ପରିଣାମ ବେଜିଂ ଭୋଗିବାକୁ ଯାଉଛି ।

ଚୀନ ସହିତ ସୀମାରେ ଉତେଜନା ଲାଗି ରହିଥିବାବେଳେ ଭାରତ ସରକାର ଗୁରୁବାର ବିଳମ୍ବିତ ରାତିରେ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ଚୀନ ଓ ପାକିସ୍ତାନ ଉପରେ ଲଗାଯାଇଛି ନୂଆ କଟକଣା । ନିର୍ଦ୍ଦେଶ ଅନୁସାରେ –
– ଚୀନ କିମ୍ବା ପାକିସ୍ତାନର କୌଣସି ସଂସ୍ଥା ଭରତର ସରକାରୀ ସଂସ୍ଥାରେ ନିବେଶ କରିପାରିବେ ନାହିଁ
– ସରକାରୀ କିମ୍ବା ରାଷ୍ଟ୍ରାୟତ ସଂସ୍ଥାର କୌଣସି ପ୍ରକଳ୍ପରେ ଭାଗ ନେଇପାରିନି ଦୁଇ ଦେଶର ସଂସ୍ଥା
– ଚୀନ ଓ ପାକିସ୍ତାନୀ ସଂସ୍ଥାର ସାମଗ୍ରୀ କିମ୍ବା ସେବା ଯୋଗାଣ ଉପରେ ଭାରତ ଲଗାଇଲା କଟକଣା
– କିନ୍ତୁ ନେପାଳ ଓ ଭୂଟାନର କୌଣସି ସଂସ୍ଥା ପାଇଁ ଏଭିଳି ନିବେଶରେ ରିହାତି ଦେଇଛି କେନ୍ଦ୍ର

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରତିରକ୍ଷା ଏବଂ ଜାତୀୟ ସୁର କ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଭାରତ । ଏଥିପାଇଁ ଜେନେରାଲ ଫାଇନାନ୍ସ ରୁଲ- ୨୦୧୭ରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯାଇଛି । ଫଳରେ କୌଣସି ସରକାରୀ କିମ୍ବା ସରକାରଙ୍କ ଅଧିନରେ କାମ କରୁଥିବା କୌଣସି ପ୍ରକଳ୍ପରେ କାମ କରିପାରିବେ ନାହିଁ ଚୀନ କମ୍ପାନି । ଏପରିକି ଯେଉଁ ସଂସ୍ଥା ବା କମ୍ପାନି ସରକାରଙ୍କଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେମାନେ ମଧ୍ୟ ଚୀନ ଓ ପାକିସ୍ତାନ କମ୍ପାନି ସହିତ କାରବାର କରିପାରିବେ ନାହିଁ । ଏପରିକି ଏହି ନୂଆ କଟକଣା ପାଳନ କରିବା ପାଇଁ ରାଜ୍ୟ ସରକାରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଘରୋଇ କମ୍ପାନି ଉପରେ ଏହି କଟକଣା ଲାଗୁ ହେବନାହିଁ ବୋଲି କୁହାଯାଇଛି । ପ୍ରତିଶ୍ରୁତି ଦେଇ ଚୀନ ସେନା ଏଲଏସିରେ ପଛକୁ ହଟୁନଥିବାରୁ ବେଜିଂକୁ ଆର୍ଥିକ ମୋର୍ଚ୍ଚାରେ ଆଘାତ ପାଇଁ ଏଭଲି କୂଟନୈତିକ ପଦକ୍ଷେପ ନିଆଯାଇଛି ।

ସଇତାନ ଚୀନର ଘେରାବନ୍ଦୀ ପାଇଁ ଗୋଟିଏ ପରେ ଗୋଟିଏ କୂଟନୈତିକ ପଦକ୍ଷେପ ନେଇସାରିଛି ଭାରତ । ସୀମାରେ ଶକ୍ତି ଦେଖାଉଥିବା ଚାଲାକ ଚୀନକୁ ଆର୍ଥିକ ମୋର୍ଚ୍ଚାରେ ଦୁର୍ବଳ କରିଦେବା ପାଇଁ ଏହାରି ଭିତରେ ଅନେକ କଟକଣା ଘୋଷଣା କରିସାରିଛି । ଭାରତୀୟ ବଜାର ଉପରେ ବିଶେଷ ଭାବେ ନିର୍ଭର କରୁଥିବା ଚୀନ ଅର୍ଥନୀତିକୁ ପ୍ରଭାବିତ କରିବା ପାଇଁ ଏଭଳି ଘୋଷଣାମାନ କରାଯାଇଛି ।
ଆର୍ଥିକ ମୋର୍ଚ୍ଚାରେ ଚୀନର ଘେରାବନ୍ଦୀ!
୧- ଟିକଟକ୍ ଭଳି ଭାରତରେ ଚୀନର ଲୋକପ୍ରିୟ ୫୯ଟି ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର
୨- ହୁୱେଇ ସହ ଭାରତରେ ୫-ଜି ସେବା ଯୋଗାଣ ପାଇଁ ଟେଣ୍ଡର ନବୀକରଣକୁ ବାତିଲ କରାଯାଇଛି
୩- ଭାରତରେ ହାଇୱେ ପ୍ରଜେକ୍ଟରେ ଚୀନ କମ୍ପାନି ଭାଗ ନେଇପାରିବେ ନାହିଁ ବୋଲି କଟକଣା ଜାରି
୪- ୪-ଜି ଅପଗ୍ରେଡେସନ୍ ପାଇଁ ଚୀନ କମ୍ପାନି ସହ ଚୁକ୍ତି ବାତିଲ କରିଛନ୍ତି ବିଏସଏନଏଲ ଓ ଏମଟିଏନଏଲ

ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତେଜନା କମ୍ କରିବାକୁ ଦୁଇ ଦେଶ ବିବାଦୀୟ କ୍ଷେତ୍ରରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ । ହେଲେ ଚୀନ ସେନା କିଛିବାଟ ହଟିବା ପରେ ପୁଣି ଅଟକି ଯାଇଥିବାରୁ ଏବଂ କେତେକ ସ୍ଥାନରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଅମଙ୍ଗ ହେଉଥିବାରୁ ଭାରତ ସରକାର ଚାପ ପ୍ରୟୋଗ ପାଇଁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।