କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ ଶିଶୁର ବାପା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଡିଏନ୍ଏ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ଜଣେ ଲୋକର ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା ।

Advertisment

ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ତେଣୁ ଏପରି ଲୋକଙ୍କୁ ଜନ ସାଧାରଣ ବିଶ୍ୱାସ ନକରିବା ଉଚିତ୍ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ହସ୍ପିଟାଲ ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲା କି ତାଙ୍କର ଝିଅ ହୋଇଥିଲା ହେଲେ । ହେଲେ ମିଥ୍ୟା ଭାବେ ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ଗତ ସେପ୍ଟେମ୍ବର ୨୬ ଦିନ କ୍ୟାପିଟାଲ ହସ୍ପିଟାଲରେ ଏହି ମାମଲାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ଭିତୋଫାନ । ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀ ଏକ ପୁଅ ଜନ୍ମ ଦେଇଛନ୍ତି ବୋଲି ମହିଳା ଆଣ୍ଟେଣ୍ଡାଣ୍ଟ କହି ଦେଇଥିଲେ । ହେଲେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା । ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପୁଅ ଜନ୍ମ ଦେଇଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ମହିଳା ଆଣ୍ଟେଣ୍ଡାଣ୍ଟଙ୍କ କଥାକୁ ଧରି ଅଡି ବସିଥିଲେ ପ୍ରାଣକୃଷ୍ଣ ।

କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ପୋଲିସ ତଦନ୍ତ । ମାମଲାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ଥିଲା ଡିଏନ୍ଏ ପରୀକ୍ଷା । ଆଉ ଏହାରି ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳା ଆଣ୍ଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରିଥିଲେ । ଡିଏନ୍ଏ ପରୀକ୍ଷା ପାଇଁ କୋର୍ଟ ଅନୁମତି ଦେବା ପରେ ଗତ ସୋମବାର ମା’ ଓ ନବଜାତ ଶିଶୁର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଆଉ ଏବେ ରିପୋର୍ଟ ଆସିବା ପରେ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ସ୍ପଷ୍ଟ ହୋଇଛି ।

ଏହାରି ଭିତରେ ପ୍ରଶ୍ନ ଉଠିଛି ଯେ, ଡିଏନ୍ଏ ଟେଷ୍ଟକୁ ଅପେକ୍ଷା କରାଯାଇଥିଲା ନାଁ ପୁଅ ପାଇଁ ଅପେକ୍ଷା କରିଥିଲେ ପ୍ରାଣକୃଷ୍ଣ । ପ୍ରଥମରୁ ଯଦି ପ୍ରାଣକୃଷ୍ଣଙ୍କୁ ପୁଅ ଦିଆଯାଇଥାନ୍ତା, ତେବେ ଡିଏନ୍ଏ ଟେଷ୍ଟ ପର୍ଯ୍ୟନ୍ତ କଥା ଯାଇଥାନ୍ତା କି ? ଏସବୁ ବିବାଦ ଭିତରେ କାହିକିଁ ନବଜାତକୁ ଏତେଦିନ ହସ୍ପିଟାଲରେ ରଖାଗଲା । କାହିଁକି ପରିବାର ଲୋକଙ୍କ ସ୍ନେହ ପାଇବାରୁ ବଞ୍ଚିତ ହେଲା ? ଦୁନିଆ କ’ଣ ଜାଣିନଥିବା ଛୋଟ ପିଲାଟି ରକ୍ତ ଦେଇ ନିଜ ପରିଚୟ ନିଜେ ତିଆରି କଲା । ଏଥିପାଇଁ ଦାୟୀ କିଏ ? ଝିଅ ହେଲା ବୋଲି ଏପରି ମାନସିକତା କି ?

ନୂଆ ନୁହେଁ ପିଲା ବଦଳ ଅଭିଯୋଗ

- ୧୦ ବର୍ଷ ଭିତରେ ଓଡିଶାର ବିଭିନ୍ନ ହସ୍ପିଟାଲ ବିରୋଧରେ ଆସିଛି ଅଭିଯୋଗ
- ସବୁ ଅଭିଯୋଗ ଭିତରୁ ଅନେକ ଭୁଲ ପ୍ରମାଣିତ ହୋଇଛି
- ୨୦୧୨ରେ ଏସସିବିରେ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଥିଲା
- ପୁଅ ବଦଳରେ ଝିଅ ଦିଆଯାଇଥିବା ଅଭିଯୋଗ କରିଥିଲେ ଦମ୍ପତି
- ୬ଦିନ ପର୍ଯ୍ୟନ୍ତ ଝିଅ ଛୁଆଟିକୁ ବାପା-ମା ଗ୍ରହଣ କରିନଥିଲେ
- ଡିଏନଏ ଟେଷ୍ଟ ପରେ ଝିଅକୁ ଗ୍ରହଣ କରିଥିଲେ ଦମ୍ପତି
- ୨୦୧୩ରେ ମଧ୍ୟ ଏସସିବିରୁ ସମାନ ଘଟଣା ଦେଖିବାକୁ ମିଳିଥିଲା
- ୨୦୧୬ରେ ବୁର୍ଲା ମେଡିକାଲରୁ ଆସିଥିଲା ସମାନ ଅଭିଯୋଗ
- ପରବର୍ତ୍ତୀ ସମୟରେ ପୁଅ ନୁହେଁ ଝିଅ ହୋଇଥିଲା ବୋଲି ସ୍ପଷ୍ଟ ହୋଇଥିଲା