କନକ ବ୍ୟୁରୋ : କରୋନା କାଳରେ ବିଗିଡି ଯାଇଥିବା ଅର୍ଥନୀତି ଟ୍ରାକକୁ ଫେରିବାର ସମସ୍ତ ସଂକେତ ଦେଉଥିବାବେଳେ, ଆଜି ସରକାର ଭିତିଭୂମି, ଫାଇଭ୍ ଜି, ଡିଜିଟାଲ କରେନ୍ସି ଭଳି କ୍ଷେତ୍ରରେ ଜୋର ଦେଇ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୩୯ଲକ୍ଷ ୪୫ ହଜାର କୋଟି ଟଙ୍କାର ଏହି ବଜେଟ ମଧ୍ୟବିତଙ୍କୁ ନିରାଶ କରିଛି । ଆୟକର ସୀମା ବଢ଼ାଇବେ ବୋଲି ସମସ୍ତେ ଆଶା ରଖିଥିଲେ କାରଣ କରୋନା କାଳରେ ମଧ୍ୟବିତଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । କିନ୍ତୁ ସରକାର ସେମିତି କିଛି କରିନାହାନ୍ତି । ଆୟକର ସୀମାକୁ ଅପରିବର୍ତ୍ତିତ ରଖିଛନ୍ତି । ଅର୍ଥମନ୍ତ୍ରୀ ପ୍ରେସମିଟରେ କହିଛନ୍ତି, ଯେ ଲୋକଙ୍କ ଉପରେ ଟିକସ ବୋଝକୁ ସେ ବଢ଼ାଇ ନାହାନ୍ତି ।

Advertisment

ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ । ଛାଡ଼ ସୀମା ଅପରିବର୍ତ୍ତିତ, ଟିକସ ହାର ବି ଅପରିବର୍ତ୍ତିତ । କରୋନା ମହାମାରୀ ଯୋଗୁଁ ଉଭୟ ରୋଜଗାର ଓ ନିଯୁକ୍ତି ପ୍ରଭାବିତ ହୋଇଥିବାରୁ ଆଶା କରାଯାଉଥିଲା ଆୟକର ଛାଡ଼ ସୀମା ବଢ଼ାଇବେ ସରକାର । ଲୋକଙ୍କ ଉପରେ ଆର୍ଥିକ ଚାପ କମିବ, ଲୋକଙ୍କ ପାଖରେ ଅଧିକ ଟଙ୍କା ରହିବ, ବଜାର ଗତିଶୀଳ ହେବ । ହେଲେ ଏ କ୍ଷେତ୍ରରେ ମଧ୍ୟବିତଙ୍କୁ ହତାଶ କରିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ । ତେବେ ନିର୍ମଳା କହିଛନ୍ତି, କରୋନା କାଳରେ ଦେଶର ବିତିୟ ନିଅଣ୍ଟ ପାଇଁ ଲୋକଙ୍କ ଉପରେ ଅଧିକ ବୋଝ ନପକାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବାରୁ ଆୟକର ଛାଡ଼ ସୀମା ଅପରିବର୍ତ୍ତିତ ରଖାଯାଇଛି ।

ପୂର୍ବବର୍ଷ ଭଳି ରହିବ ଆୟକର ସ୍ଲାବ, ଛାଡ଼ ସୀମା ଓ ଟିକସ ହାର । ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଯେଉଁ ହାର ଥିଲା, ତାହା ଆସନ୍ତା ଆର୍ଥିକ ବର୍ଷ ପାଇଁ ମଧ୍ୟ ଲାଗୁ ହେବ । ଯେଉଁଭଳି ଭାବେ ପୁରୁଣା ଓ ନୂଆ ବ୍ୟବସ୍ଥା ଲାଗୁ କରାଯାଇଥିଲା, ତାହା ଜାରି ରହିବ । ନୂଆ ବ୍ୟବସ୍ଥାରେ ଟିକସ ହାର କମିବ, ହେଲେ ଅନ୍ୟାନ୍ୟ ରିହାତି ମିଳିବ ନାହିଁ । ପୂର୍ବଭଳି ଅଢ଼େଇ ଲକ୍ଷରୁ ୫ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଟିକସ ରହିବ । ଏହା ସହ ୧୨ ହଜାର ୫୦୦ ଟଙ୍କାର ଟ୍ୟାକ୍ସ ରିବେଟ ମଧ୍ୟ ମିଳିବ । ମୋଟାମୋଟି କହିବାକୁ ଗଲେ ଯେଉଁ ବ୍ୟବସ୍ଥାକୁ ଗ୍ରହଣ କଲେ ବି ୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଟିକସ ଦେବାକୁ ପଡ଼ିବ ନାହିଁ ।

ଆୟକର ସୀମା ଅପରିବତ୍ତିତ
ଆୟକର ସ୍ଲାବ୍                    ପୁରୁଣା ବ୍ୟବସ୍ଥା                 ନୂଆ ବ୍ୟବସ୍ଥା
୨.୫ ଲକ୍ଷ                              ନାହିଁ                               ନାହିଁ
୨.୫ ଲକ୍ଷରୁ ୫ ଲକ୍ଷ                 ୫%                               ୫%
୫ ଲକ୍ଷରୁ ୭.୫ ଲକ୍ଷ                ୨୦%                            ୧୦%
୭.୫ ଲକ୍ଷରୁ ୧୦ ଲକ୍ଷ             ୨୦%                            ୧୫%
୧୦ ଲକ୍ଷରୁ ୧୨.୫ ଲକ୍ଷ           ୩୦%                           ୨୦%
୧୨.୫ ଲକ୍ଷରୁ ୧୫ ଲକ୍ଷ           ୩୦%                            ୨୫%
୧୫ ଲକ୍ଷରୁ ୫୦ ଲକ୍ଷ               ୩୦%                             ୩୦%

ଆୟକର ରିଟର୍ଣ୍ଣର ତ୍ରୁଟି ସୁଧାରିବା ପାଇଁ ସମୟସୀମା ବୃଦ୍ଧି । ତ୍ରୁଟି ସୁଧାରିବା ପାଇଁ ମିଳିବ ୨ ବର୍ଷର ମହଲତ । ଆୟକର ରିଟର୍ଣ୍ଣ ଦାଖଲ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ ୨ ବର୍ଷ ସମୟ ଦେଉଛନ୍ତି ସରକାର । ସେପଟେ କର୍ପୋରେଟ୍ ଜଗତକୁ ଆକୃଷ୍ଟ କରିବା ପାଇଁ ବଜେଟରେ ଉଦ୍ୟମ କରାଯାଇଛି ।

କର୍ପୋରେଟ୍ ଟିକସ ଉପରେ ସରଚାର୍ଜ ହ୍ରାସ । ୧୨ ପ୍ରତିଶତରୁ ଖସି ୭ ପ୍ରତିଶତ ହୋଇଛି ସରଚାର୍ଜ । ନୂଆ ଘରୋଇ ଉତ୍ପାଦନ ଶିଳ୍ପ ପାଇଁ ଲାଗୁ ହେବ ୧୫ ପ୍ରତିଶତ କର୍ପୋରେଟ୍ ଟ୍ୟାକ୍ସ । ଷ୍ଟାଟ୍-ଅପକୁ ପ୍ରୋତ୍ସାହନ ଦେବା ପାଇଁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ଅବଧି ।