ରାଜ୍ୟ ଟଙ୍କାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେନ୍ଦ୍ରର ଟଙ୍କାଟିଏ ମଧ୍ୟ ହେଉନାହିଁ ଖର୍ଚ୍ଚ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

76

କନକ ବ୍ୟୁରୋ : ରାଜ୍ୟର ଟଙ୍କାରେ ରାଜ୍ୟବାସୀଙ୍କ ପାଇଁ ହେଉଛି ଯୋଜନା । ଏଥିପାଇଁ ନା କେନ୍ଦ୍ର କୌଣସି ପାଣ୍ଠି ଦେଉଛି ନା କୌଣସି ସଂସ୍ଥା । ଖାସକରି ଗତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ । ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନାରେ କେନ୍ଦ୍ର ସରକାରଙ୍କର ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ । ଏପରିକି ଏହି ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୧୦୦୩.୫୨ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରିଛନ୍ତି । ଯେଉଁଥିରେ କେନ୍ଦ୍ରୀୟ ପାଣ୍ଠି ସାମିଲ କରାଯାଇନାହିଁ । ଗଣମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଯେଉଁ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି ତାହା ଉପରୁ ପରଦା ଉଠାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ରୀୟ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଗଣମାଧ୍ୟମରେ ଖବର ଆସିବା ପରେ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟ ବିଭାଗ । ଏହି ଯୋଜନାରେ କେନ୍ଦ୍ରର ଟଙ୍କା ଖର୍ଚ୍ଚ ହୋଇନାହିଁ ଏବଂ ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସାର୍ବଜନୀକ ସ୍ୱାସ୍ଥସେବା ଖାସକରି ରାଜ୍ୟରେ ଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ୱାଧୀନତା ଦିବସରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ପ୍ରତ୍ୟାଖାନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ । ରାଜ୍ୟର ୭୦ ଲକ୍ଷ ପରିବାରର ମହିଳାଙ୍କ ନିମନ୍ତେ ବାର୍ଷିକ ୭ ଲକ୍ଷ ଓ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଏହି ଯୋଜନା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି । ଆଉ ଏଥିପାଇଁ ରାଜ୍ୟ ସରକାର ୨୯୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରିଛନ୍ତି । ଏହାଛଡା ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଲୋକଙ୍କୁ ମାଗଣା ଚିକିତ୍ସା ଉପଲବ୍ଧ କରାଇବା ପାଇଁ ଚଳିତ ଆର୍ଥିକ ବର୍ଷରେ ମୋଟ ୭୧୩.୫୨ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଆଉ ଏହି ଦୁଇଟି ଉପାୟରେ ଚଳିତ ବର୍ଷ ମୋଟ ୧୦୦୩.୫୨ କୋଟି ଟଙ୍କା ବ୍ୟୟ କରିବେ ସରକାର । ଯାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ଗଣମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ସେଥିରେ ଆଦୌ ସତ୍ୟତା ନାହିଁ ବୋଲି ତାହା ସ୍ପଷ୍ଟ ହୋଇଯାଇଛି ।