କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।
ଆଜି ଏକ ଓ୍ବେବିନାରରେ ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତି କାଳରେ ନିଆଯିବ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ଏଥର ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି । ପିଲାମାନଙ୍କ ଉପରୁ ଚାପ କମ କରିବାକୁ ଏହା କରାଯାଇଛି ।
ଅନ୍ୟପକ୍ଷରେ ପରୀକ୍ଷାକୁ ବାତିଲ କରି ପିଲାମାନଙ୍କୁ ପାଶ କଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/25-18.jpg)