ବିଧାନସଭାରେ ଏଟିଏମ ତାତି ! ବିଧାୟକ କହିଲେ, ବାଚସ୍ପତି ବ୍ୟବସ୍ଥା କରନ୍ତୁ ନହେଲେ ଧାର ଦିଅନ୍ତୁ । ୨୪ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ କରିବାକୁ କହିଲା ଷ୍ଟେଟ ବ୍ୟାଙ୍କ

35

କନକ ବ୍ୟୁରୋ : ଏଟିଏମରୁ ଟଙ୍କା ପାଇବାରେ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ତେବେ ଦେଶରେ ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ କହିଛନ୍ତି, ୨୪ ଘଂଟା ଭିତରେ ସମସ୍ୟାର ସମାଧାନ ହୋଇଯିବ । ଯେଉଁ ରାଜ୍ୟ ଗୁଡିକରେ ନଗଦ ଟଙ୍କାର ଅଭାବ ରହିଛି, ସେଠାକୁ ଅଧିକ ପରିମାଣର ଟଙ୍କା ପଠାଯାଇଛି ।

ଏଟିଏମ୍ ଆଗରେ ଲାଗୁଛି ଲମ୍ବା ଲାଇନ୍ । ଡହ ଡହ ଖରାରେ ଅପେକ୍ଷା କରୁଛନ୍ତି ଲୋକେ । ସହରର ପ୍ରତି ଶହେ ମିଟରରେ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ରହିଛି । ହେଲେ ଟଙ୍କା ନାହିଁ । ଆଉ ଯେଉଁଠି ଟଙ୍କା ଅଛି ସେଇଠି ଲାଗୁଛି ଲମ୍ବା ଧାଡି । ଯାହା ମନେ ପକାଇଦେଉଛି ବିମୁଦ୍ରାକରଣ ସମୟର ସ୍ଥିତିକୁ । ତେବେ ଏସବୁ ଭିତରେ ଏଟିଏମରେ ଟଙ୍କାର ଅଭାବ ନେଇ ତୁମ୍ବି ତୋଫାନ ଭିତରେ ପ୍ରତିକ୍ରିୟା ରଖିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ୨୪ ଘଂଟା ଭିତରେ ସମସ୍ୟାର ସମାଧାନ ହୋଇଯିବ । ସାରା ଦେଶରେ ଏଭଳି ସମସ୍ୟା ନାହିଁ ତେବେ ଟଙ୍କାର ଅଭାବ ଦେଖାଦେଇଥିବା ତେଲେଙ୍ଗାନା ଓ ବିହାର ଭଳି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ପଠାଯାଇଛି ।

ଏଟିଏମରେ ଟଙ୍କା ଅଭାବ ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ବି ହୋହାଲ୍ଲା ହୋଇଛି । ସମସ୍ୟାର ସମାଧାନ ଲାଗି ଅର୍ଥମନ୍ତ୍ରୀଙ୍କୁ ମତ ରଖିବାକୁ ଅନୁରୋଧ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏଥିପାଇଁ ଗୃହରେ ପ୍ରସ୍ତାବ ଆଣିବାକୁ କହିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ସେପଟେ ରାଜ୍ୟ ଅର୍ଥମନ୍ତ୍ରୀ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କୁ ଡାକି ସ୍ଥିତି ପରଖିବାକୁ ଦାବି କରିଥିଲା ବିଜେପି । ବିଧାୟକ ମହେଶ ସାହୁ କଥା ଛଳରେ କହିଥିଲେ, ବାଚସ୍ପତି ବ୍ୟବସ୍ଥା କରନ୍ତୁ, ନଚେତ ଧାର ଦିଅନ୍ତୁ । ଏସବିଆଇ ରିସର୍ଚ କମିଟି ରିପୋର୍ଟ ଅନୁସାରେ ୭୦ ହଜାର କୋଟି ଟଙ୍କାର ନଗଦ ଟଙ୍କା ନିଅଂଟ ହେଉଛି । ଫଳରେ ଟଙ୍କାର ଅଭାବ ଭଳି ସମସ୍ୟା ଉପୁଜିଛି ।