ବିଜେଡିକୁ ବାଟ ଛାଡିଦେଲା ବିଜେପି । ରାଜ୍ୟସଭା ନିର୍ବାଚନ ପାଇଁ ଦେବନାହିଁ ପ୍ରାର୍ଥୀ, ଦଳ କହିଲା ସଂଖ୍ୟା ନଥିବାରୁ ହାରିବାର ସମ୍ଭାବନା ଅଧିକ ।

704

କନକ ବ୍ୟୁରୋ : ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ବିଜେଡି ବାଟରେ ଥିବା କଂଟା ଆପାତତଃ ସଫା ହୋଇ ଯାଇଛି । କାରଣ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି କହିଛି ବିଜେପି । ଚତୁର୍ଥ ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ସମାନ ସ୍ଥିତିରେ ଥିବା ସତ୍ୱେ ଦେଶର ଏକ ନମ୍ବର ଦଳ ଓ ରାଜ୍ୟର ଦୁଇ ନମ୍ବର ଦଳ କାହିଁକି ନିର୍ବାଚନରୁ ଓହରିଗଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଏପଟେ ଚର୍ଚ୍ଚା ହେଉଛି, ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିବାରୁ ଏହି ଋଣ ପରିଶୋଧ କରିଛି ବିଜେପି ।

ବିଜେଡିକୁ ବାଟ ଛାଡିଦେଲା ବିଜେପି ! ବିଜେପି ଶୁଝିଲା ବିଜେଡି ଋଣ ? ଚତୁର୍ଥ ଆସନ ପାଇଁ ସବୁ କଳ୍ପନା ଜଳ୍ପନା ଓ ରାଜନୈତିକ ଅଙ୍କକଷାର ଅବସାନ ଘଟିଛି । କାରଣ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି କହିଛି ବିଜେପି । ସଂଖ୍ୟା ନଥିବାରୁ ନିର୍ବାଚନରେ ବିଜେପି ଭାଗ ନେବ ନାହିଁ ବୋଲି କହିଛନ୍ତି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟସଭା ନିର୍ବାଚନରୁ ବିଜେପି ଓହରିଯିବା ପରେ ବିଜେଡିର ଚତୁର୍ଥ ଆସନ ରାସ୍ତାରେ ଥିବା କଂଟା ସଫା ହୋଇଯାଇଛି । ତେବେ ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନଥିବା ବେଳେ କାହିଁକି ବିଜେପି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରି ବିଜେଡିକୁ ୱାକ୍ ଓଭର ଦେଲା ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।

ଗତ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କୁ ଚମକାଇ ଦେବା ଭଳି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲା ବିଜେଡି । ତିନିଟି ଯାକ ରାଜ୍ୟସଭା ଆସନ ପାଇଁ ବିଜେଡି ହାତରେ ଆବଶ୍ୟକ ସଂଖ୍ୟା ଥିବା ବେଳେ ନିଜର ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ ହାତରେ ଗୋଟିଏ ଆସନ ଟେକି ଦେଇଥିଲା । ଏବେ ଚର୍ଚ୍ଚା ହେଉଛି, ସେହି ଋଣକୁ ଏହି ନିର୍ବାଚନରେ ପରିଶୋଧ କରିଛି ବିଜେପି । ଦାନ ବଦଳରେ ଦେଇଛି ପ୍ରତିଦାନ ।

ଚତୁର୍ଥ ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ସମାନ ସ୍ଥିତିରେ ଥିଲେ । ବିଜୟ ପାଇଁ ଉଭୟ ଆବଶ୍ୟକ କରୁଥିଲେ ୭ଟି ଭୋଟ । ଆଉ ଏବେ ବିଜେପି ନିର୍ବାଚନରୁ ଓହରି ଯାଇଥିବାରୁ ବିଜେଡିକୁ ମଧ୍ୟ ଅନାୟାସରେ ମିଳିଯିବ ରାଜ୍ୟସଭାର ଚତୁର୍ଥ ଆସନ ।