କନକ ବ୍ୟୁରୋ: ଶବକୁ ମିଳୁନି ଶ୍ମଶାନ । ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । କେବଳ ଧର୍ମ ପରିବର୍ତନ କରିଥିବା ପୁଅ ପାଖେ ରହୁଥିବାରୁ ବୃଦ୍ଧଙ୍କୁ ଶ୍ମଶାନ ମିଳିଲାନି । ନବରଙ୍ଗପୁର ଉମରକୋଟ ସିଉନାଗୁଡାର ଡମୁ ସାନ୍ତାଙ୍କ ମୃତ୍ୟୁ ପରେ ସଂସ୍କାର ପାଇଁ ଲୋକଙ୍କ ବିରୋଧ । ପରିବାର ଲୋକେ ବାଧ୍ୟ ହୋଇ ପ୍ରଶାସନ ସହାୟତାରେ ଅନ୍ୟ ଏକ ପରିତ୍ୟକ୍ତ ସ୍ଥାନରେ ମୃତଦେହ ପୋତିଥିଲେ । ହେଲେ ସେଠାରେ ମଧ୍ୟ ଶବ ସ୍ଥାନାନ୍ତର ଦାବିରେ ପ୍ରତିବାଦ ଦେଖିବାକୁ ମିଳିଛି ।

Advertisment

ଶବ ଖୋଜୁଛି ଶ୍ମଶାନ । ମିଳୁନି ସମ୍ମାନ । ଧର୍ମ ଦ୍ୱାହି ଦେଇ ବାରଦୁଆର ହୋଇ ବି ଶବର ଶେଷ ଠିକଣା କୋଉଠି କାହାକୁ ବି ଜଣା ନାହିଁ । କେବଳ ଧର୍ମ ପରିବର୍ତନ କରିଥିବା ପୁଅ ପାଖେ ଆଶ୍ରୟ ନେଲେ ବୋଲି ଶବକୁ ସଂସ୍କାର କରିବାକୁ ଲୋକଙ୍କ ବିରୋଧ ଲାଗିରହିଛି । ବିରୋଧ ସହିତ ରାସ୍ତା ଅବରୋଧ କରି ପ୍ରତିବାଦ ଚାଲିଛି । ଶବ ସଂସ୍କାର ନେଇ ଅଶାନ୍ତ ହୋଇପଡିଛି ନବରଙ୍ଗପୁର ଉମରକୋଟ ସିଉନାଗୁଡା । ଗାଁର ଡମୁ ସାନ୍ତା ଧର୍ମ ପରିବର୍ତନ କରିଥିବା ତାଙ୍କ ସାନ ପୁଅ ପାଖରେ ରହୁଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଯିବା ସଂସ୍କାର ପାଇଁ ପାଲଟିଥିଲା ସମସ୍ୟା । ଗାଁ ଶ୍ମଶାନରେ ଜାଗା ଦେଲେନି ଗାଁର ଲୋକେ ।

ପ୍ରଶାସନ ହସ୍ତକ୍ଷେପ ପରେ ଅନ୍ୟ ଏକ ଗାଁର ପରିତ୍ୟକ୍ତ ସ୍ଥାନରେ ମୃତ ଦେହ ପୋତିଦିଆଯାଇଥିଲା । ଆଉ ସେଠାରେ ମଧ୍ୟ ଆରମ୍ଭ ହୋଇଛି ବିରୋଧ । ଲୋକଙ୍କ ଚଳପ୍ରଚଳ ସ୍ଥାନ ହୋଇଥିବା ବେଳେ ଏଠାରେ ମୃତ ଦେହ ବାହାର କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ଉମରକୋଟ ଥାନା ଅଧୀନରେ ଏଭଳି ଦୁଇ ଦୁଇଟି ଘଟଣା ଘଟସାରିଛି । ଆଉ ଏବେ ପୁଣି ସେହି ଘଟଣାର ପୁନରାବୃତି ଘଟିଛି ।