ଟିକାର ଗ୍ଲୋବାଲ ଟେଣ୍ଡରକୁ ଲାଗିଲା ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେନି ବିଶ୍ୱର ବଡ଼ ବଡ଼ କମ୍ପାନି, ରାଜ୍ୟ କହିଲା ଟଙ୍କା ଦେଉଛୁ,  ଟିକା କିଣିକି ଦେଉ କେନ୍ଦ୍ର ।

236

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ଓଡିଶା ସରକାର ବିଦେଶରୁ ଟିକା ଆମଦାନୀ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ଆଜି ଏ ସଂପର୍କରେ ନବକିଶୋର ଦାସ, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି, କିଛି ବୈଧାନିକ ପ୍ରସଙ୍ଗ କାରଣରୁ ଓଡିଶା ସରକାର ବିଦେଶୀ କମ୍ପାନିଙ୍କ ଠାରୁ ଟିକା ହାସଲ କରି ପାରିବେ ନାହିଁ । ଏଥିପାଇଁ ନିଜେ କେନ୍ଦ୍ର ସରକାରଙ୍କୁ ଟିକା କିଣିବାକୁ ପଡିବ । ଏଥିପାଇଁ ବରଂ ରାଜ୍ୟ ସରକାର, ସବୁ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର କହିଥିଲେ, ରାଜ୍ୟ ଏକୁଟିଆ ଟିକା କିଣିବା ସମ୍ଭବ ନୁହେଁ । କିନ୍ତୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନୀରବ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଲେଖିଛନ୍ତି ଚିଠି । ଏହି ଚିଠିର ସାରକଥା ହେଉଛି, ଟିକା ପାଇଁ କରାଯାଇଥିବା ଗ୍ଲୋବାଲ ଟେଣ୍ଡରରୁ କୌଣସି ସୁଫଳ ଏବେ ମିଳିବାର ସମ୍ଭାବନା ନାହିଁ । ତେଣୁ କେନ୍ଦ୍ର ସରକାର ଟିକା କିଣନ୍ତୁ ଏବଂ ରାଜ୍ୟକୁ ଦିଅନ୍ତୁ । ରାଜ୍ୟ ସରକାର କେନ୍ଦ୍ରଠାରୁ ଟିକା କିଣିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ।

ଓଡିଶା ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଅନୁରୋଧ କରିଛନ୍ତି, କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଦିଅନ୍ତୁ ।  କାରଣ- ବୈଧାନିକ ଆବଶ୍ୟକତା ଦୃଷ୍ଟିକୋଣରୁ ରାଜ୍ୟମାନେ ବିଦେଶୀ କମ୍ପାନୀଙ୍କଠାରୁ ଟିକା କିଣିପାରିବେ ନାହିଁ । ଓଡିଶା ସରକାର ପକାଇଥିବା ଗ୍ଲୋବାଲ ଟେଣ୍ଡର ପ୍ରତି କିଛି ସୀମିତ କମ୍ପାନୀ ଆଗ୍ରହ ଦେଖାଇଥିଲେ । କିନ୍ତୁ ଆମେରିକାର ଫାଇଜର ଓ ମଡନା ଭଳି କମ୍ପାନୀ ଟେଣ୍ଡରରେ ଭାଗ ନେଇନାହାନ୍ତି ।  ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ‘ଇଣ୍ଡେମନିଟି’ ସମ୍ପର୍କିତ ପ୍ରସଙ୍ଗ ପାଇଁ  ଏହି କମ୍ପାନୀମାନେ ଆଗ୍ରହ ଦେଖାଉନାହାନ୍ତି । ‘ଇଣ୍ଡେମନିଟି’  ପ୍ରସଙ୍ଗର ଅର୍ଥ ହେଉଛି ଏହି ଟିକା ଦ୍ୱାରା ଯଦି କିଛି କ୍ଷତି ହୁଏ ତେବେ କମ୍ପାନୀ ଦାୟୀ ରହିବ ନାହିଁ । ଏହି ଗ୍ୟାରେଂଟି ଭାରତ ସରକାର ଦିଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ତେଣୁ ରାଜ୍ୟମାନଙ୍କୁ ଅଲଗା ଭାବେ ସେମାନେ ଟିକା ବିକ୍ରି କରିବା ପାଇଁ ରାଜି ହେଉନାହାନ୍ତି ।

ସେହିଭଳି  ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପାଖରେ ବର୍ତମାନ ଭ୍ୟାକ୍ସିନ କମ ,ହେଲେ ଡିମାଣ୍ଡ ବେଶୀ  । ଏଭଳି ପରିସ୍ଥିତିରେ ସେମାନେ ମଧ୍ୟ ଟିକା ବିକ୍ରି ପାଇଁ ଆଗ୍ରହ ନଦେଖାଇବା ସ୍ୱାଭାବିକ କଥା । ଓଡିଶା ସରକାର ପ୍ରଦର୍ଶନ ନିରାପତା, ପେନାଲଟି ଓ ଆଡଭାନସ ପେମେଂଟକୁ ନେଇ କୋହଳ ଆଭିମୁଖ୍ୟ ଦେଖାଇଥିଲେ ମଧ୍ୟ ଏହା ପ୍ରଭାବ ପକାଇପାରିନାହିଁ । ଓଡିଶା ଏ ଯାଏଁ ୬୧ ଲକ୍ଷ ୬ ହଜାର ୪୧୫ ଜଣଙ୍କୁ  ଅନ୍ତତଃ ଗୋଟିଏ ଡୋଜ ଟିକା ଦେଇସାରିଛି । ଏପ୍ରିଲ ପ୍ରଥମରୁ ପ୍ରତିଦିନ ୨ ଲକ୍ଷ ଟିକା ଦିଆଯାଇପାରୁଥିଲା । କିନ୍ତୁ ଏବେ ଟିକାର ଅଭାବ ପାଇଁ ପ୍ରତିଦିନ ୬୦ରୁ ୭୦ ହଜାର ଟିକା ଦିଆଯାଇପାରୁଛି ।

ଦ୍ୱିତୀୟ ଲହର ପୂର୍ବରୁ ଯେମିତି ଆମେ ନିଶ୍ଚିନ୍ତ ହୋଇଗଲୁ ଏବଂ ଟିକା କଥା ଭାବିଲୁ ନାହିଁ ସେମିତି ଆଉ ହେବା ଉଚିତ ନୁହେଁ । ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ବି ତାଙ୍କ ଚିଠିରେ ଲେଖିଛନ୍ତି ଏକ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାକୁ କେନ୍ଦ୍ର ସରକାର କହିବା ପରେ ଦେଶର ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଡାକିଥିଲେ । କିନ୍ତୁ କୌଣସି ଗୋଟିଏ ରାଜ୍ୟ ବି ଟିକା ହାସଲ କରିପାରିନାହାନ୍ତି ।  ଆଶ୍ଚର୍ଯ୍ୟର କଥା ହେଉଛି  ଏଭଳି ଏକ ପରିଣାମ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାଣିପାରିଲେ ନାହିଁ କେମିତି ?