ଭୀଷଣ ରୂପ ନେଲାଣି କରୋନା : ଗୋଟିଏ ଶଯ୍ୟାରେ ଏକାଧିକ ରୋଗୀ; ଶବ ସତ୍କାର ପାଇଁ ବି ଲାଗୁଛି ଲମ୍ବା ଲାଇନ୍‌

143

କନକ ବ୍ୟୁରୋ : କରୋନା ସଂକ୍ରମଣ ଯେଉଁ ହାରରେ ବ୍ୟାପିବାରେ ଲାଗିଛି, ତାହା ନିକଟ ଭବିଷ୍ୟତରେ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଦେଖାଯାଉନି। ଭୟଙ୍କର ଭାବେ ଏହା ବଢ଼ି ଚାଲିଛି। ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ଉପମରମୁହାଁ ହୋଇ ଚାଲିଛି। ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି କରୋନା ରୋଗୀମାନଙ୍କ ପାଇଁ ଚିକିତ୍ସା ସାମଗ୍ରୀର ଘୋର ଅଭାବ। ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ। କିନ୍ତୁ ଏବେ ଡାକ୍ତରଖାନରେ ବେଡ୍, ଔଷଧ ଏବଂ ଏପରିକି ଅକ୍ସିଜେନର ଅଭାବ ହାହାକାର ପରିସ୍ଥିତି ସୃଷ୍ଟି କଲାଣି ।

ଗୁରୁତର ରୋଗୀଙ୍କୁ ମେଡିକାଲରେ ବେଡ୍ ମିଳୁନି। ଗୋଟିଏ ପରେ ଗୋଟିଏ ମେଡିକ‌ାଲ ବୁଲୁଛନ୍ତି। କିନ୍ତୁ ନିରାଶା ଛଡ଼ା କିଛି ମିଳୁନାହିଁ । ଏଥିରୁ ଆଇଏଏସ୍ ଅଧିକାରୀ ଏବଂ ନେତା ମଧ୍ୟ ବାଦ୍ ପଡ଼ୁ ନାହାନ୍ତି। ଯେଉଁମାନଙ୍କୁ ବେଡ୍ ମିଳୁଛି ସେଠାରେ ଅକ୍ସିଜେନ୍ ମିଳୁନାହିଁ । କରୋନା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ୧୨ଟି ରାଜ୍ୟ ଏ ସଂପର୍କରେ ଅଭିଯୋଗ କରିବା ‌ପରେ ସରକାର ଅକ୍ସିଜେନ୍ ପଠାଇବା ଲାଗି ବ୍ୟବସ୍ଥା କରିଛନ୍ତି। କିଛି ଶିଳ୍ପକୁ ଛାଡ଼ିଦେଲେ ଅନ୍ୟସବୁ ଶିଳ୍ପାନୁଷ୍ଠାନରେ ଅକ୍ସିଜେନ୍ ବ୍ୟବହାର ଉପରେ ସରକାର ଆଜି କଟକଣା ଜାରି କରିଛନ୍ତି। କ୍ଷତିଗ୍ରସ୍ତ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଲାଗି ରେଳବାଇ ପକ୍ଷରୁ ତୁରନ୍ତ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଳାଇବା ଲାଗି ସ୍ଥିର ହୋଇଛି। ପ୍ରଥମ ଦଫାରେ ମୁମ୍ବାଇ, ଭାଇଜାଗ, ରାଉରକେଲା, ବୋକାରୋରୁ ୬୧୭୭ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯିବ।

ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଟିକା, ବେଡ୍‌ ଏବଂ ଅକ୍ସିଜେନ୍‌ ଆଦିର ଘୋର ଅଭାବ ଦେଖାଦେଇଛି। କରୋନାରେ ଜୀବନ ହରାଉଥିବା ରୋଗୀଙ୍କ ଶେଷକୃତ୍ୟ ପାଇଁ ସ୍ଥାନର ଅଭାବ ଦେଖାଦେଲାଣି। ଶ୍ମଶାନଳରେ ଶେଷକୃତ୍ୟ ପାଇଁ ଘଣ୍ଟା ଘଣ୍ଟା ଧରି ଶବକୁ ଅପେକ୍ଷା କରିବାକୁ ପଡ଼ୁଛି। ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଏବେଠାରୁ ଚିନ୍ତାର କାରଣ ପାଲଟିଛି।

ରାଜଧାନୀ ଦିଲ୍ଲୀରେ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଇସିୟୁ ବେଡ୍‌ର ଅଭାବ ଦେଖାଦେଇଛି । ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ବେଡ୍ ଏବଂ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ତୁରନ୍ତ ଅକ୍ସଜେନ୍ ଯୋଗାଣକୁ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି । ମଧ୍ୟପ୍ରଦେଶର ଏକ ସରକାରୀ ଡାକ୍ତରଖାନା ସାହାଡୋଲ୍‌ ଗଭର୍ଣ୍ଣମେଣ୍ଟ୍ ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ଗତକାଲି ରାତିରେ ୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଉଥିବା ସଂସ୍ଥା ଏହାକୁ ଠିକ୍ ସମୟରେ ପହଞ୍ଚାଇ ନପାରିବାରୁ ରୋଗୀଙ୍କୁ ଆବଶ୍ୟକ ମାତ୍ରାରେ ଅକ୍ସିଜେନ୍ ମିଳି ନଥିଲା। ଭୋପାଳ, ଇନ୍ଦୋର, ଉଜ୍ଜୟନୀ, ସାଗର, ଜବଲପୁର, ଖଣ୍ଡୱା, ଖରଗନ ଆଦି ସ୍ଥାନରେ ଅକ୍ସିଜେନ୍ ଅଭାବ ଯୋଗୁ ପୂର୍ବରୁ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଛି ।

ରାଜସ୍ଥାନରେ ଯଦିଓ ବର୍ତ୍ତମାନ ସୁଦ୍ଧା ଅକ୍ସିଜେନ୍‌ର ଅଭାବ ଦେଖାଦେଇ ନାହିଁ ତଥାପି ସରକାରୀ ଡାକ୍ତରଖାନାଗୁଡ଼ିକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ଯୋଗାଇବା ପାଇଁ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ୫.୪ କୋଟି ଅଧିକ ଟିକା ଡୋଜ୍‌, ରେମଡେସଭିର ଓ ଟସିଲିଜୁମାବ ଔଷଧ ଏବଂ ଅକ୍ସିଜେନକୁ ଯଥାଶୀଘ୍ର ଯୋଗାଇ ଦେବା ପାଇଁ ମମତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ରେମଡେସଭିର ଔଷଧ ଯୋଗାଣରେ ଅଭାବ ପରିଲକ୍ଷିତ ହୋଇଛି। କ୍ରମାଗତଭାବେ ତୃତୀୟ ଦିନ ପାଇଁ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୬୦ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ରେକର୍ଡ ୬୭,୧୨୩ ନୂଆ ସଂକ୍ରମଣ ସହିତ ୪୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଔଷଧ କମ୍ପାନି ଅଧିକ ମାତ୍ରାରେ ରେମଡେସଭିର ମହଜୁଦ ରଖିଥିବାରୁ ମୁମ୍ବାଇ ପୁଲିସ ସେହି କମ୍ପାନିର ନିର୍ଦ୍ଦେଶକଙ୍କୁ ଡାକି ପଚରାଉଚରା କରିଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି।

ଗୁଜରାଟରେ ମଧ୍ୟ କରୋନା ସ୍ଥିତି ସଙ୍ଗିନ ରହିଛି। ଏଠାରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିପାଇଁ ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ ଅଭାବରୁ କରୋନା ରୋଗୀମାନେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭିତରେ ପ୍ରାଣ ହରାଉଛନ୍ତି। ନବସାରିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ନିକଟରେ ୫ ଜଣ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ରାଜ୍ୟର ବଡ଼ ସହରଗୁଡ଼ିକର ଶ୍ମଶାନରେ ଶବ ସତ୍କାର ପାଇଁ ପ୍ରବଳ ଭିଡ଼ ଲାଗିଥିବାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ହିସାବ ତୁଳନାରେ ଅଧିକ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି।