କରୋନା ହେଲେ କରିବେ କ’ଣ? ରାଜଧାନୀର କୋଭିଡ୍ ହସ୍ପିଟାଲରେ ବେଡ୍ ନାହିଁ କି ଆଇସିୟୁ ନାହିଁ: ଢ଼େଙ୍କାନାଳ ୭୪ ବର୍ଷିୟ କରୋନା ଆକ୍ରାନ୍ତ ବେଡ୍ ପାଇଁ ହନ୍ତସନ୍ତ

ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ପରେ ମିଳିଲା ବେଡ୍: ବିଏମସିର ସୂଚନା, ଭୁବନେଶ୍ୱରରେ ୯୮% ୱାର୍ଡ ଶର୍ଯ୍ୟାରେ ରୋଗୀ ଭର୍ତି

728

କନକ ବ୍ୟୁରୋ: ଯଦି ଆପଣ କରୋନା ଆକ୍ରାନ୍ତ, ତେବେ ରାଜଧାନୀର କୋଭିଡ ହସ୍ପିଟାଲରେ ଆପଣଙ୍କୁ ବେଡ କିମ୍ବା ଆଇସିୟୁ ମିଳିବ ତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଢେଙ୍କାନାଳର ଜଣେ କରୋନା ଆକ୍ରାନ୍ତ ବେଡଟିଏ ପାଇବା ପାଇଁ ୨୪ ଘଂଟା ଅପେକ୍ଷା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜଧାନୀର କୋଭିଡ ହସ୍ପିଟାଲରେ ଏବେ ବେଡ ସଂକଟ ଦେଖାଦେଇଛି । ରାଜଧାନୀର ୫ଟି କୋଭିଡ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଭେଂଟିଲେଟର ସବୁଠି ଭର୍ତି ହୋଇଯାଇଛନ୍ତି ରୋଗୀ ।

ଷ୍ଟ୍ରେଚରରେ ପଡିରହିଥିବା ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କୋଭିଡ ହସ୍ପିଟାଲରେ ବେଡ ନ ମିଳିବାରୁ ପ୍ରାୟ ୨୪ଘଂଟା ଏହିପରି ପଡିରହିଲେ । ଢେଙ୍କାନାଳର ଏହି ୭୪ବର୍ଷିୟ ବ୍ୟକ୍ତି ସେତେବେଳେ ବେଡ ମିଳିଥିଲା ଯେତେବେଳେ ଏହି ଫଟୋ ଘୁରିବୁଲିଥିଲା ସୋସିଆଲ ମିଡିଆରେ ।

କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି କୋଭିଡ ହସ୍ପିଟାଲରେ ବେଡର ସ୍ଥିତି କଣ ରହିଛି । ଘରୋଇ ହସ୍ପିଟାଲରେ ହୃଦରୋଗ ଚିକିତ୍ସା ସମୟରେ ଜଣାପଡିଥିଲା ଏହି ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ । ତାଙ୍କୁ କୋଭିଡ ହସ୍ପିଟାଲ ନେବା ପାଇଁ ପରାମର୍ଶ ଦେଇଥିଲେ ଘରୋଇ ହସ୍ପିଟାଲ । ବାସ ସେତେବେଳ ଠାରୁ ଏହିପରି ଷ୍ଟ୍ରେଚରରେ ଶୋଇରହିଥିଲେ ବ୍ୟକ୍ତି ଜଣଙ୍କ । ୧୦୪ କିମ୍ବା ବିଏମସିକୁ ଫୋନ କରିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ ।

ବିଏମସିରୁ ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରରେ ଥିବା ୫ଟି କୋଭିଡ ହସ୍ପିଟାଲ ସମେତ ୪ଟି କୋଭିଡ କେୟାର ସେଂଟରରେ ୨୭୬୭ଟି ବେଡ ରହିଛି । ଏଥିମଧ୍ୟରୁ ୧୮୮୩ଟି ବେଡରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଗୁରୁତ୍ୱପୂର୍ଣ୍ଣୃ କଥା ହେଲା ୯୮ ପ୍ରତିଶତରୁ ଅଧିକ ୱାର୍ଡ ବେଡ ପୂରଣ କରାଯାଇଛି । ବାକି କୋଭିଡ କେୟାର ସେଂଟରରେ ଯାହା କିଛି ବେଡ ରହିଛି । ରାଜଧାନୀର ୫ଟି କୋଭିଡ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁସ, ଏଚଡିୟୁ, ଓ ଭେଂଟିଲେଟର ସବୁଠି ରୋଗୀ ଭର୍ତି ହୋଇସାରିଛନ୍ତି । ବଡ କଥା ହେଲା, କୋଭିଡ ହସ୍ପିଟାଲ ଗୁଡିକରେ ଭୁବନେଶ୍ୱରରୁ ଯେତିକି ଆକ୍ରାନ୍ତ ନାହାନ୍ତି, ତାଠାରୁ ବେଶ ଅଧିକ ଆକ୍ରାନ୍ତ ବାହାର ଜିଲ୍ଲାର ବୋଲି ଜଣାପଡିଛି । ଯାହା ଏବେ ଚିନ୍ତା ବଢାଇ ଦେଇଛି ।