କନକ ବ୍ୟୁରୋ : ଭୋଟ ଦେଲେ ଦିଅ ନହେଲେ ନାହିଁ, କିନ୍ତୁ ମାଲ୍ ପାଣି ମିଳିବନି । ଲୋକସଭା ନିର୍ବାଚନ ନେଇ ଏଜେଣ୍ଡା ସ୍ପଷ୍ଟ କଲେ ନୀତିନ ଗଡକରୀ । ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ । ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ୍‌ ଦେବା କଥା ଦେବେ ନ ହେଲେ ନାହିଁ ।

Advertisment

ମହାରାଷ୍ଟ୍ରର ୱାଶିମ୍‌ରେ ୩ଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଉଦ୍‌ବୋଧନ ଦେବା ବେଳେ ଗଡ଼କରୀ କହିଛନ୍ତି, ସେ ଲାଞ୍ଚ ଗ୍ରହଣ କରିବେ ନାହିଁ କି, କାହାକୁ ଲାଞ୍ଚ ଗ୍ରହଣ କରାଇ ଦେବେ ନାହିଁ । ସେ କହିଛନ୍ତି, ଏଥର ଲୋକସଭା ନିର୍ବାଚନରେ କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ନ ଲଗାଇବାକୁ ସ୍ଥିର କରିଛି । ଲୋକମାନଙ୍କୁ ଚା' ବି ଦିଆଯିବ ନାହିଁ । ଯେଉଁମାନେ ଭୋଟ୍‌ ଦେବାର କଥା ଦେବେ, ଯେଉଁମାନେ ନ ଦେବାର କଥା ‌ଦେବେ ନାହିଁ । ମୁଁ ଲାଞ୍ଚ ନେବିନି କି, କାହାରିକୁ ଲାଞ୍ଚ ନିଆଇ ଦେବିନାହିଁ । କିନ୍ତୁ, ନିଷ୍ଠାର ସହିତ ସମସ୍ତଙ୍କର ସେବା କରିବି ବୋଲି ମୋର ବିଶ୍ବାସ ।

ପୂର୍ବରୁ ଜୁଲାଇ ମାସ‌ରେ ଗଡ଼କରୀ ନାଗପୁରରେ ଅନୁଷ୍ଠିତ ‘ମହାରାଷ୍ଟ୍ର ରାଜ୍ୟ ଶିକ୍ଷକ ପରିଷଦ୍’ର କାର୍ଯ୍ୟକ୍ରମରେ ଗୋଟାଏ ବ୍ୟକ୍ତିଗତ ମଜାଳିଆ କଥା କହିଥିଲେ । ସେ କହିଥିଲେ ଯେ, ଥରେ ନିର୍ବାଚନ ବେଳେ ସେ ଭୋଟର୍‌ମାନଙ୍କୁ ‘ମଟନ୍‌’ ବା ‘ଖାସି’ ମାଂସ ଦେଇ ମଧ୍ୟ ନିର୍ବାଚନରେ ହାରିଥିଲେ । ଜନତାଙ୍କ ବିଶ୍ବାସ ଓ ସ୍ନେହ ଭାଜନ ହୋଇ ନିର୍ବାଚନ ଜିଣାଯାଇ ପାରିବ ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ । ସେ କହିଥି‌ଲେ, ଭୋଟର୍‌ମାନେ ଖୁବ୍‌ ଚତୁର । ସବୁ ପ୍ରାର୍ଥୀଙ୍କଠାରୁ ସେମାନେ ସବୁ କିଛି ଗ୍ରହଣ କରନ୍ତି । କିନ୍ତୁ, ଯାହାକୁ ଉଚିତ ବିଚାରନ୍ତି ତାଙ୍କୁ ହିଁ ଭୋଟ୍‌ ଦିଅନ୍ତି ।