କନକ ବ୍ୟୁରୋ : ବଲିଉଡ ସୁପର ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ବି ହୋଇପାରିଲା ନାହିଁ । ମଙ୍ଗଳବାର ଦିନ ଉଭୟ ଓକିଲଙ୍କ ମଧ୍ୟରେ ଯୁକ୍ତି ଶେଷ ହୋଇ ନପାରିବାରୁ ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।
ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ମାମଲାରେ ଏନସିବି ଆରୟନଙ୍କୁ ଗିରଫ କରିବା ପରେ ଆରୟନଙ୍କୁ ରିମାଣ୍ଡରେ ନେଇଥିଲା ଏନସିବି । ଏହାପରେ ଆରୟନ ଏବେ ମୁମ୍ବାଇର ଆଥରରୋଡ ଜେଲରେ ରହିଛନ୍ତି । ବୁଧବାର ଦ୍ୱିପ୍ରହର ୨.୩୦ ମିନିଟ ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ପ୍ରଥମେ ମାଜିଷ୍ଟ୍ରେଟ୍ ଅଦାଲତ ଓ ପରେ ସେସନ କୋର୍ଟରେ ଆରୟନଙ୍କ ଓକିଲ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲେ ବି କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏପଟେ ଦୀର୍ଘ ୨୪ ଦିନ ହେବ ଜେଲର ଅନ୍ଧାରୀ କୋଠରୀରେ କାଳ କାଟୁଛନ୍ତି ଆରୟନ ।
ମଙ୍ଗଳବାର ଦିନ ଆରୟନ ଖାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଆରୟନଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟରେ ପ୍ରବଳ ଯୁକ୍ତି ବାଢିଥିଲେ । ରୋହତଗୀ କହିଥିଲେ କି ଅଭିଯୁକ୍ତ ଗ୍ରାହକ ନୁହେଁ କି ଏନସିବି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ କରିନାହିଁ । ଅନ୍ୟପଟେ ରୋହତଗୀ କହିଥିଲେ କି ଏନସିବି ଆରୟନଙ୍କୁ ଗିରଫ୍ କରିବା ବେଳେ ସେ ଡ୍ରଗ୍ସ ସେବନ କରିନଥିଲେ । ତେଣୁ ରୋହତଗୀ ଆରୟନଙ୍କ ଗିରଫକୁ ବେଆଇନ ବୋଲି ଯୁକ୍ତି ବାଢି ତାଙ୍କୁ ଜାମିନ ପ୍ରଦାନ କରିବାକୁ ଜଜଙ୍କୁ ଅନୁରୋଧ କରିଥିଲେ ।