ଶନିବାର ‘ନୋ ବ୍ୟାଗ୍ ଡେ’ । ସ୍କୁଲ ଆସିବେ ହେଲେ ବସ୍ତାନୀ ଆଣିବେନି ଛାତ୍ରଛାତ୍ରୀ। ପିଲାଙ୍କୁ ଚାପମୁକ୍ତ କରିବାକୁ ଗଂଜାମ ଜିଲ୍ଲା ପ୍ରଶାସନର ନୂଆ ବ୍ୟବସ୍ଥା

ହିଲପାଟଣା ୟୁପି ସ୍କୁଲରେ ବିନା ବସ୍ତାନୀରେ ଗୋଟିଏ ଦିନ

359

କନକ ବ୍ୟୁରୋ: ପିଲାଙ୍କୁ ଚାପମୁକ୍ତ କରିବାକୁ ଗଂଜାମ ଜିଲ୍ଲାରେ ଆରମ୍ଭ ହେଉଛି ନୂଆ ବ୍ୟବସ୍ଥା । ସପ୍ତାହରେ ଦିନଟିଏ ବିନା ବ୍ୟାଗରେ ସ୍କୁଲ । ସ୍କୁଲ ଆସିବେ କିନ୍ତୁ ବିନା ବ୍ୟାଗରେ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଏପରି ଏକ ନିଆରା ବ୍ୟବସ୍ଥା ଆରମ୍ଭ ହୋଇଛି ଗଂଜାମ ଜିଲ୍ଲାରେ ।

ଶନିବାର ପିଲା ସ୍କୁଲ ଆସିବେ ହେଲେ ସାଥିରେ ଆଣିବେ ନାହିଁ ବହି ବସ୍ତାନୀ । କାହିଁକି ପ୍ରତି ଶନିବାର ଦିନ ସାଧାରଣ ପାଠ୍ୟକ୍ରମ ପଢା ବନ୍ଦ । ଏହି ଦିନ ପିଲାମାନଙ୍କ ରୁଟିନ୍ ହେବ କେବଳ ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ନୋ ବ୍ୟାଗ୍ ଡେ’ କାର୍ୟ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍ ଡେ । ଆଜିଠାରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ତେବେ ପିଲାଙ୍କ ଲୁକ୍କାୟିତ ପ୍ରତିଭା ଲୋକଲେଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରତ୍ୟେକ ବ୍ଲକ୍ ଶିକ୍ଷା ଅଧିକାରୀ ସେମାନଙ୍କ ଅଧୀନ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ ‘ୱାଟର୍ ବେଲ୍’ କାର୍ଯ୍ୟକ୍ରମ । ଶନିବାର ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଆଦି ରାଜ୍ୟରେ ଆରମ୍ଭ ହୋଇଛି ।